ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ବେକାର ଥିବା ସମୟରେ ଭଲ ପାଇ ବିବାହ କରିବାକୁ ଦେଇଥିଲେ ପ୍ରତିଶ୍ରୁତି । ପ୍ରେମିକାଙ୍କ ଠାରୁ ଟଙ୍କା ସହ ସମସ୍ତ ସାହାଯ୍ୟ ନେଇ ପୁଲିସ୍ ଚାକିରି ପାଇଲେ । ପରେ ବିବାହ କରିବାକୁ ମନା କରି ଦେଲେ । ଏପରିକି ଗାଳିଗୁଲଜ, ମାଡ଼ପିଟ କରିବା ସହ ଜୀବନରୁ ମାରି ଦେବାକୁ ପ୍ରେମିକ ଦେଉଛନ୍ତି ଧମକ । ଏହାକୁ ନେଇ ପ୍ରେମିକା ନ୍ୟାୟ ଲାଗି ଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ଏଭଳି ଘଟଣା ଘଟିଛି ସଦର ଥାନା ଅନ୍ତର୍ଗତ ରୁପାବାହାଲ ଗ୍ରାମରେ ଘଟିଛି। ରୁପାବାହାଲ ଗ୍ରାମର ଜଣେ ଯୁବତୀଙ୍କ ସହ ୨୦୧୭ରୁ ଫୋନରେ ଚାଟିଂ କରୁଥିଲେ ମୁକେଶ ବୀରଗଣ୍ଠିଆ । ଏହାରି ଭିତରେ ସେମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ୨୦୧୭ରୁ ୨୦୨୦ ଯାଏ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଲା । ମୁକେଶ ପ୍ରେମିକାଙ୍କ ଘରକୁ ଯାଇ ଖାଇପିଇ ରହିବା ସହ ଟଙ୍କା ପଇସା ଆଣୁଥିଲେ । ୨୦୨୦ରେ ମୁକେଶ ପୁଲିସ୍ କନେଷ୍ଟବଳ ଚାକିରି ପାଇବା ପରେ ମୁକେଶ ପ୍ରେମିକାଙ୍କୁ ଅଣଦେଖା କରିବାରେ ଲାଗିଲେ । ପ୍ରେମିକା ଫୋନ କଲେ ମୁକେଶ ତାଙ୍କୁ ଗାଳିଗୁଲଜ କଲେ । ଲେଫ୍ରିପଡ଼ା ଥାନାରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିବା ମୁକେଶଙ୍କ ପାଖକୁ ପ୍ରେମିକା ଯାଇଥିଲେ ହେଁ ସେଠାରେ ସମସ୍ତଙ୍କ ସମ୍ମୁଖରେ ଗାଳିଗୁଲଜ କରିବା ସହ ମାଡ଼ପିଟ କରି ସେଠାରୁ ବିଦା କରି ଦେଇଥିଲେ । ଏହାପରେ ମୁକେଶ ତାଙ୍କ ଅନ୍ୟ ସାଙ୍ଗମାନଙ୍କୁ ପ୍ରେମିକାଙ୍କ ଫୋନ ନମ୍ବର ଦେଇ ତାଙ୍କ କଥା ମାନ କହି ଗାଳିଗୁଲଜ କଲେ । ଏପରିକି ସବଡ଼େଗା ବ୍ଲକର ଏକ ଝିଅ ମଧ୍ୟ ଫୋନ କରି ପ୍ରେମିକାଙ୍କୁ ମୁକେଶକୁ ଭୁଲିଯିବା ପାଇ କହି ଗାଳିଗୁଲଜ କରିଥିଲେ । ମୁକେଶ ଇତିମଧ୍ୟରେ ଫୋନ କରି ପ୍ରେମିକାଙ୍କ ପରିବାରକୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ପ୍ରେମିକା ଗତ ୨୧ ତାରିଖ ଦିନ ସଦର ଥାନାକୁ ଆସି ମୁକେଶଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ଅଭିଯୋଗ ରଖିଲା ଓ ମାମଲା ମଧ୍ୟ ରୁଜୁ କଲା । ମାମଲା ରୁଜୁ ହେବାର ୧୦ଦିନ ବିତି ଯାଇଥିଲେ ହେଁ ଲେଫ୍ରିପଡ଼ା ଥାନାରେ କାର୍ୟ୍ୟରତ ମୁକେଶଙ୍କୁ ଗିରଫ ନକରି ଫେରାର ଥିବା କହି ହାତବାନ୍ଧି ବସିଛି । ପୁଲିସ୍ ଠାରୁ ନିରାଶ ହେବା ପରେ ଶୁକ୍ରବାର ପ୍ରେମିକା ଏସ୍ପି ସାଗରିକା ନାଥଙ୍କୁ ସାକ୍ଷାତ କରି ସମସ୍ତ ବିଷୟ ଜଣାଇଥିଲେ ଓ ନ୍ୟାୟ ଦେବା ଲାଗି ଅନୁରୋଧ କରିଥିବା ଜଣାପଡ଼ିଛି ।






