ଭୁବନେଶ୍ୱର, (ବାଘୁଆବାର୍ତ୍ତା): ୱେବ୍ ପୋର୍ଟାଲ୍ ଖୋଲି ସାମ୍ବାଦିକ ବୋଲି କହି ବୁଲୁଥିବା ଆସାମାଜିକଙ୍କ କାରନାମା ବଢ଼ିବାରେ ଲାଗିଛି । ପୁଣି ଏକ ୱେବ୍ ପୋର୍ଟାଲ୍ ବିରୋଧରେ କ୍ରାଇମ୍ବ୍ରାଞ୍ଚରେ ମାମଲା ହୋଇଛି । ୱେବ୍ ପୋର୍ଟାଲ୍ ‘ନ୍ୟୁଜ୍୧୬୦ ମିଡିଆ ଡଟ୍ କମ୍’ର ଫେସ୍ବୁକ୍ ପେଜ୍ରେ ଭି.କେ ପାଣ୍ଡିଆନ୍ଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ ଲେଖାଯାଇଛି । ପୁଲିସ ଘଟଣାର ଛାନ୍ଭିନ୍ କରି ଜାଣିବାକୁ ପାଇଛି ଏହି ୱେବ୍ ପୋର୍ଟାଲ୍ର ‘ଓଡ଼ିଆ ନ୍ୟୁଜ୍ ବୁକ୍’ ନାମକ ଏକ ଫେସ୍ବୁକ୍ ପେଜ୍ ରହିଛି । ଯାହାର ସମ୍ପୂର୍ଣ୍ଣ ଠିକଣା ତେଲେଙ୍ଗାନାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଉକ୍ତ ପେଜ୍କୁ କ୍ରାଇମ୍ବ୍ରାଞ୍ଚ ବନ୍ଦ କରି ଘଟଣାର ତଦନ୍ତ ଜାରି ରଖିଛି । ମିଳିଥିବା ସୂଚନା ମୁତାବକ, କିଛି ଦିନ ତଳେ ଏହି ୱେବ୍ ପୋର୍ଟାଲ୍ ତାର ଫେସ୍ବୁକ୍ ପେଜ୍ରେ ଏକ ଲିଙ୍କ୍ ଅପ୍ଲୋଡ୍ କରିଥିଲା । ସେଥିରେ ଉଲ୍ଲେଖ ଥିଲା ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ବଡ ଖୁଲାସାଟ୍ଟ । ସେତିକି ନୁହେଁ ପାଣ୍ଡିଆନ୍ଙ୍କ ଫଟୋ ମଧ୍ୟ ଏଥିରେ ପୋଷ୍ଟ କରାଯାଇଛି । ଏ ବିଷୟରେ ଜଣା ପଡିବା ପରେ କ୍ରାଇମ୍ବ୍ରାଞ୍ଚ ଗତ ୧୭ ତାରିଖ ଦିନ ନିଜ ଆଡୁ ମାମଲା ରୁଜୁ କରିଥିଲା । ତଦନ୍ତ ଚାଲିଥିବା ସମୟରେ ଏମିତି ମିଥ୍ୟା ଖବର ପ୍ରଚାର କରିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି । ଉକ୍ତ ୱେବ୍ ପୋର୍ଟାଲ୍ର ମେଲ୍ ଆଇଡି ଓ ଫୋନ୍ ନମ୍ବର ମିଳିଛି । ଏହା ରାଜ୍ୟ ବାହାରର ବୋଲି ଜଣାପଡିଛି । କ୍ରାଇମ୍ବ୍ରାଞ୍ଚ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରୁଛି ।






