ସାଲେପୁର, (ବାଘୁଆବାର୍ତ୍ତା): ରାସ୍ତା ପାଲଟିଛି ମରଣଯନ୍ତା । କଟକ ଜିଲ୍ଲା ସାଲେପୁର ପିକୋଳ ପଞ୍ଚାୟତ ମାଣିତ୍ରୀ ବଜାର ଠାରୁ କେରଙ୍ଗା ପର୍ୟ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି । ବାରମ୍ବାର ପ୍ରଶାସନିକ ଅଧିକରୀଙ୍କୁ ପଞ୍ଚାୟତବାସୀ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିଲା । ଶେଷରେ ଆଜି ମାଣିତ୍ରୀ ବଜାର ଛକ ଠାରେ ପିକୋଳ ବିକାଶ ପରିଷଦ, ପିକୋଳ ଓ ରାଇସୁଙ୍ଗୁଡା ପଞ୍ଚାୟତବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଖବର ଅନୁଯାୟୀ, ଏହି ରାସ୍ତାଟି ଗତ ୨୫ ବର୍ଷ ତଳେ ହୋଇଥିଲା କିନ୍ତୁ ଆଜି ପର୍ୟ୍ୟନ୍ତ ଏହି ରାସ୍ତାର ଉନ୍ନତିକରଣ ପାଇଁ ଟଙ୍କା ଟିଏ ବି ସରକାର ଖର୍ଚ୍ଚ କରି ନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ଲୋକେ ଯାଆସ କରିବା ସହିତ ରାସ୍ତାରେ ଥିବା ବଡ଼ ବଡ଼ ଖାଲ ଯୋଗୁଁ ପ୍ରତ୍ୟେକ ଦିନ ଛୋଟ ମୋଟ ଦୁର୍ଘଟଣା ଘଟୁଛି। ଏ ନେଇ ଘଟଣାସ୍ଥଳରେ ତହସିଲଦାର, ବିଡ଼ିଓ ଓ ବ୍ଲକ କନିଷ୍ଠ ଯନ୍ତ୍ରୀ ପହଞ୍ଚି ଥିବା ବେଳେ ଲୋକମାନେ ସେହି ରାସ୍ତାର ସ୍ଥିତି ଅନୁଧ୍ୟାନ ପାଇଁ ଚଲାଇ ଚଲାଇ ନେଇଥିଲେ। ସମସ୍ୟା ବିଷୟରେ ଅବଗତ କରାଇଥିଲେ। ଦୀର୍ଘ ସମୟ ଧରି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ଖୁବ ଶୀଘ୍ର ରାସ୍ତା କାମ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକରୁ ଲୋକମାନେ ହତିଥିଲେ।






