କୋରାପୁଟ, (ବାଘୁଆବାର୍ତ୍ତା): ନିକଟରେ ରାଷ୍ଟ୍ରୀୟ ପଶୁ ଆନୁବଂଶିକ ସଂଶାଧନ ବ୍ୟୁରୋ (ଏନବିଏଜିଆର) ଓଡ଼ିଶାର ଅବିଭକ୍ତ କୋରାପୁଟ ଜିଲ୍ଲାର ମାଳଭୂମି ଅଞ୍ଚଳରେ ଥିବା ‘ମଣ୍ଡା’ ମଇଁଷିଙ୍କୁ ଦେଶର ୧୯ତମ ମଇଁଷି ପ୍ରଜାତିର ମାନ୍ୟତା ଦେଇଛି । ଏହା ରାଜ୍ୟ ସରକାରଙ୍କ ଏକ ସଫଳତା ବୋଲି ଗଣମାଧ୍ୟମରେ ଡିଣ୍ଡିମ ପିଟାଗଲା । କିନ୍ତୁ ମାଳଭୂମିର ବାସ୍ତବତା ଭିନ୍ନ । ମଣ୍ଡା ମଇଁଷିଙ୍କ ସଂରକ୍ଷଣ ତ ଦୂରର କଥା ସୁରକ୍ଷା ଦିଗରେ ମଧ୍ୟ କେହି ଯତ୍ନବାନ ନାହାନ୍ତି । ହାଇଦ୍ରାବାଦରେ ମଣ୍ଡା ମାଂସର ଚାହିଦା ଥିବାରୁ ପ୍ରତି ବର୍ଷ ଏହି ପ୍ରଜାତିର ୫ରୁ ୬ ହଜାର ମଇଁଷି ଅବାଧରେ ଆନ୍ଧ୍ରକୁ ଚାଲାଣ କରାଯାଉଛି । ଫଳରେ ଦିନକୁ ଦିନ ଏମାନଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ଦିନ ଆସିବ ମଣ୍ଡା ମଇଁଷିଙ୍କୁ ଆମେ କେବଳ ନନ୍ଦନକାନନରେ ପର୍ୟ୍ୟଟକଙ୍କ ପାଇଁ ରଖିବାକୁ ବାଧ୍ୟ ହେବା ବୋଲି ଉଦବେଗ ପ୍ରକାଶ କରି କହିଛନ୍ତି ପ୍ରାଣୀପ୍ରେମୀମାନେ । ଏକଦା ଚାଷବାସ ପାଇଁ ମାଳଭୂମିରେ ମଣ୍ଡାଙ୍କ ଗୁରୁତ୍ୱ ସର୍ବାଧିକ ରହିଥିଲା । କିନ୍ତୁ ଏବେ କୃଷି କାର୍ୟ୍ୟରେ ମେସିନର ବ୍ୟବହାର ମଣ୍ଡାଙ୍କ ଗୁରୁତ୍ୱ ହ୍ରାସ କରିଛି । ଏହାର ଫାଇଦା ନେଇ ଗୋ-ମାଫିଆ ମାନେ ସକ୍ରିୟ ହୋଇଛନ୍ତି । ଦକ୍ଷିଣ ଓଡ଼ିଶାର ବିଭିନ୍ନ ଗୋରୁ ହାଟରୁ ପ୍ରତି ସପ୍ତାହରେ ଦଲାଲ ମାନେ ଗୋରୁ ସଂଗ୍ରହ କରି ଜଙ୍ଗଲ ରାସ୍ତା କିମ୍ବା ରାଜପଥ ଦେଇ ସେମାନଙ୍କ ଚଲାଇ ଚଲାଇ ଓଡ଼ିଶା ସୀମା ପାରି କରାଇ ଆନ୍ଧ୍ରର ମାନାପୁରମ ଗୋରୁ ହାଟରେ ପହଞ୍ଚାଉଛନ୍ତି । ଏହି ହାଟ ଦେଶର ଅନ୍ୟତମ ବୃହତ ଗୋରୁ ହାଟ । ପ୍ରତି ଗୋରୁ ଗୋଠରେ ପ୍ରାୟ ୨ଶହ ଗୋରୁ ନିଆଯାଉଥିବା ବେଳେ ସେମାନଙ୍କ ମଧ୍ୟରେ ୫୦/୬୦ ମଣ୍ଡା ମଇଁଷି ମଧ୍ୟ ଚାଲାଣ କରାଯାଉଥିବା ଗୋ-ସୁରକ୍ଷା ଆନ୍ଦୋଳନ ସହ ଜଡ଼ିତ ଥିବା ଜଣେ କର୍ମକର୍ତ୍ତା କହିଛନ୍ତି । ହାଇଦ୍ରାବାଦର ବିଭିନ୍ନ ନାମୀଦାମୀ ହୋଟେଲରେ ମଣ୍ଡା ମଇଁଷିର ମାଂସ ପର୍ବତମାଳା ଜଙ୍ଗଲ ମାଂସ ଭାବେ ପରିଚିତ । ଅତିଥି ମାନଙ୍କ ମଧ୍ୟରେ ଏହାର ଚାହିଦା ଅଧିକ । ମାଂସ କିଲୋ ୪ରୁ ୫ ଶହ ଟଙ୍କାରେ ବିକ୍ରି ହୋଇଥାଏ । ଦଲାଲ ମାନେ ଓଡ଼ିଶାର ବିଭିନ୍ନ ହାଟରୁ ୮ରୁ ୯ ହଜାର ଟଙ୍କାରେ ମଣ୍ଡା ମଇଁଷିଙ୍କୁ କ୍ରୟ କରି ଚାଲାଣ କରିଥାନ୍ତି । ଗୋଟିଏ ଗୋଟିଏ ମଇଁଷିର ଓଜନ ପ୍ରାୟ ୩ କ୍ୱିଣ୍ଟାଲରୁ ସାଢ଼େ ତିନି କ୍ୱିଣ୍ଟାଲ ହୋଇଥାଏ । ମଣ୍ଡା ମଇଁଷିଙ୍କୁ ଜାତୀୟ ମାନ୍ୟତା ଦେବା ପ୍ରକ୍ରିୟା ସହ ଜଡ଼ିତ ଥିବା ରାଜ୍ୟର ଜଣେ ଅଧିକାରୀ କହିଛନ୍ତି, ଜାତୀୟ ମାନ୍ୟତା ମିଳିଥିଲେ ମଧ୍ୟ ରାଜ୍ୟ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ମଣ୍ଡାଙ୍କ ସଂରକ୍ଷଣ ଦିଗରେ କାଣିଚାଏ ପଦକ୍ଷେପ ନେଇ ନାହାନ୍ତି । ଏପରିକି ଗ୍ରାମାଞ୍ଚଳରେ ପଶୁ ପାଳନ ସହ ଜଡ଼ିତ ଥିବା ଚାଷୀମାନଙ୍କର ସୋସାଇଟି ମଧ୍ୟ ଗଠନ ହୋଇନାହିଁ କି ଉତ୍ପାଦିତ କ୍ଷୀରକୁ ବିକ୍ରି କରିବାର ବ୍ୟବସ୍ଥା ନାହିଁ ।






