ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆସନ୍ତା ଗାନ୍ଧି ଜୟନ୍ତୀ ଅକ୍ଟୋବର ୨ରୁ ନବୀକରଣ ହୋଇଥିବା ଏକାମ୍ର ହାଟର ଉଦ୍ଘାଟନ ହେବ । ଏଥିସହିତ ସନ୍ଧ୍ୟା ୬ଟାରେ ଏକାମ୍ର ସଂସ୍କୃତି ସନ୍ଧ୍ୟାର ଶୁଭାରମ୍ଭ କରାଯିବ । ତା’ ପୂର୍ବ ଦିନ ଅର୍ଥାତ୍ ଅକ୍ଟୋବର ୧ରେ ସାମ୍ବାଦିକ ସମ୍ମିଳନୀରେ କାର୍ୟ୍ୟକ୍ରମ ପ୍ରସ୍ତୁତି ସମ୍ପର୍କରେ ଘୋଷଣା ସାଙ୍ଗକୁ ଲୋଗୋ ଉନ୍ମୋଚନ ହେବ । ସଂସ୍କୃତି, ପର୍ୟ୍ୟଟନ ଓ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମିଳିତ ସହଭାଗିତାରେ ଏହି କାର୍ୟ୍ୟକ୍ରମ ଚାଲିବ । ରାଜ୍ୟର ପାରମ୍ପରିକ ଖାଦ୍ୟପେୟ, କଳାସଂସ୍କୃତି, ହସ୍ତତନ୍ତ ଓ ବୟନଶିଳ୍ପର ପ୍ରକୃଷ୍ଟତା ପର୍ୟ୍ୟଟକଙ୍କ ପାଖରେ ପ୍ରତିପାଦନ କରି ଓଡ଼ିଶାର ଗରିମା ବଜାୟ ରଖିବା ଲାଗି କାର୍ୟ୍ୟକ୍ରମର ପରିକଳ୍ପନା କରାଯାଇଛି । ପ୍ରତି ସନ୍ଧ୍ୟାରେ ଏହାର ସଫଳ ରୂପାୟନ ନିମନ୍ତେ ସଂସ୍କୃତି ଭବନଠାରେ ଏକ ଉଚ୍ଚପଦାଧିକାରୀ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତି ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସମେତ ଅନ୍ୟ ସହଯୋଗୀ ବିଭାଗର ଅଧିକାରୀ ଯୋଗଦେଇଥିଲେ । ବୈଠକରେ ବିଭିନ୍ନ ବିଭାଗକୁ ଦାୟିତ୍ୱ ବଣ୍ଟାଯିବା ସହିତ କରୋନା କଟକଣା ମାନି ଏକାମ୍ର ସଂସ୍କୃତି ସନ୍ଧ୍ୟା ଆୟୋଜନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ସଚିବ ପ୍ରବୋଧ ରଥ, ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଡ. ସଙ୍ଗୀତା ଗୋସାଇଁ, ବିଏମ୍ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ପର୍ୟ୍ୟଟନ ବିଭାଗ ଅତିରିକ୍ତ ସଚିବ ରୀନା ମହାପାତ୍ର, ଅତିରିକ୍ତ ଡିସିପି ପିକେ ରାଉତ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୟ କୁମାର ଜେନା, ଅତିରିକ୍ତ ନିର୍ଦ୍ଦେଶକ ସିଡାକ୍ ଏସ୍କେ ମହାନ୍ତି, ୟୁନିସେଫ୍ର ରୁଦ୍ର ରଥ, ବିପୁଲ ମାଲବ୍ୟ ଯୋଗଦେଇଥିଲେ । ଶେଷରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ କାର୍ୟ୍ୟକ୍ରମର ସଫଳତା ଲାଗି ସହଯୋଗ କାମନା କରି ଧନ୍ୟବାଦ ଦେଇଥିଲେ ।






