କାମାକ୍ଷାନଗର, (ବାଘୁଆବାର୍ତ୍ତା): ମାଟି କାନ୍ଥ ପଡ଼ି ଶାଶୁ ମୃତ, ବୋହୂ ଗୁରୁତର। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ତରାଜଙ୍ଗ ଗ୍ରାମରେ ଏଭଳି ଅଘଟଣ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଶାଶୁ-ବୋହୂ ଶୋଇଥିବା ବେଳେ ତାଙ୍କ ଉପରକୁ ମାଟି କାନ୍ଥ ଭୁଶୁଡି ପଡିଛି। ସୂଚନାନୁଯାୟୀ, କଙ୍କଡାହାଡ ଥାନା ତରାଜଙ୍ଗ ଗ୍ରାମର ଶାଶୁ କଦଳି ସାହୁ ଓ ବୋହୂ ରୀନା ସାହୁଙ୍କ ଉପରେ ଗତକାଲି ବିଳମ୍ବିତ ରାତିରେ ମାଟି କାନ୍ଥ ମାଡି ବସିଛି। ଶାଶୁ-ବୋହୂ ଶୋଇଥିବା ବେଳେ ଘରର ମାଟି କାନ୍ଥ ଭୁଶୁଡି ପଡିଥିଲା। ଏହାପରେ ପରିବାର ଲୋକ ଉଭୟ ଶାଶୁ-ବୋହୂଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଘଟଣା ସ୍ଥଳରେ ହିଁ କଦଳି ସାହୁଙ୍କର ମୃତ୍ୟୁ ହୋଇଥିବା ବେଳେ ବୋହୂ ରୀନାଙ୍କ ସ୍ଵାସ୍ଥ୍ୟାବସ୍ଥା ଏବେ ଗୁରୁତର ରହିଛି। ଘରଟି ଚାଳଛପର ଘର ହୋଇଥିବାରୁ ଅତ୍ୟଧିକ ବର୍ଷା ହେବା କାରଣରୁ ମାଟି କାନ୍ଥ ଦୁର୍ବଳ ହୋଇଯାଇଥିଲା। ଗତକାଲି ରାତିରେ କାନ୍ଥଟି ଭୁଶୁଡି ପଡିଛି। ଘଟଣାସ୍ଥଳରେ ବିରାଶାଳ ଆର.ଆଇ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟବଛେଦ ରିପୋର୍ଟ ଆସିବା ପରେ ସରକାରୀ ନିୟମ ଅନୁସାରେ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।






