କୋଣାର୍କ, (ବାଘୁଆବାର୍ତ୍ତା): ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନାରେ ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଛି। ଜବତ ହୋଇଥିବା ବିସ୍ଫୋରକ ଫୁଟି ଥାନାର ଛାତ ଉଡ଼ିଯାଇଛି। ସୌଭାଗ୍ୟ ବଶତଃ ଥାନାର ସେଣ୍ଟ୍ରି ସରୋଜ ବେହେରା ଏହି ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ବିସ୍ଫୋରଣରେ ଥାନାଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଅନେକ କାଗଜପତ୍ର ଓ ଆସବାବପତ୍ର ନଷ୍ଟ ହୋଇଯାଇଛି। ପୁରୀ ଏସ୍ପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୂଚନା ଅନୁସାରେ, ବଳଙ୍ଗା ଥାନାର ମାଲଖାନାରେ ଜବତ ବିସ୍ଫୋରକ ସାମଗ୍ରୀ ରଖାଯାଇଥିଲା। କୌଣସି କାରଣରୁ ଗତକାଲି ରାତି ୧୨ଟା ସମୟରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଶବ୍ଦ ଶୁଣି ଥାନାର ସେଣ୍ଟ୍ରି ସରୋଜ ବେହେରା ବାହାରକୁ ଦୌଡ଼ିକୁ ପଳାଇ ଯାଇଥିଲେ। ବିସ୍ଫୋରଣ ସମୟରେ ଥାନାରେ ଅନ୍ୟ କୌଣସି କର୍ମଚାରୀ ନଥିଲେ। କେଉଁ କାରଣରୁ ବିସ୍ଫୋରଣ ହେଲା, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।






