ନୀଳଗିରି, (ବାଘୁଆବାର୍ତ୍ତା): ଆଜି ବିଶ୍ୱ ପର୍ୟ୍ୟଟନ ଦିବସ । ତେବେ ଆମ ରାଜ୍ୟରେ ଏମିତି ଅନେକ ପର୍ୟ୍ୟଟନ ସ୍ଥାନ ରହିଛି ଯାହାକି ଦୃଷ୍ଟି ଆଢୁଆଳରେ ରହିଯାଇଛି । ନୀଳଗିରିର ହାତ ଗଣତି କେତେ ପର୍ୟ୍ୟଟନ ସ୍ଥାନ ଥିବାବେଳେ ଅନେକ ସ୍ଥାନ ଦୃଷ୍ଟି ଆଢୁଆଳରେ ରହିଯାଉଥିବା ଜଣାପଡିଛି । ପ୍ରକୃତି ରାଣୀ ସୌନ୍ଦର୍ୟ୍ୟରେ ଭରପୁର ସ୍ଥାନ ଗୁଡିକ ପୁନଃଉଦ୍ଧାର ହେଲେ ନୀଳଗିରି ପର୍ୟ୍ୟଟନ କ୍ଷେତ୍ରରେ ମାନଚିତ୍ର ବଦଳିପାରିବ । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ପାହାଡ଼ ପର୍ବତ ଘେରା ହୋଇଥିବା ବେଳେ ଜଗନ୍ନାଥ ମନ୍ଦିର, କୂଳଡିହା ଅଭୟାରଣ୍ୟ, ପଞ୍ଚଲିଙ୍ଗେଶ୍ୱର ଶୈବପୀଠ, ସଜନାଗଡ଼ ଚଣ୍ଡୀ ମନ୍ଦିର ଭଳି ସ୍ଥାନକୁ ପର୍ୟ୍ୟଟକ ମାନେ ବୁଲି ଆସନ୍ତି । ସ୍ୱର୍ଣ୍ଣଚୁଡ଼ ପାହାଡ଼ ମୂଳରେ ଅବସ୍ଥିତ ରାଜବାଟି ଦେଖିବାର ମଧ୍ୟ ନିଆରା ମଜାଉଠାଇ ଥାନ୍ତି । ସାଧାରଣତଃ ନୀଳଗିରି ରେ ଥିବା କୂଳଡିହା ଅଭୟାରଣ୍ୟ ରେ ଜୀବଜନ୍ତୁ ଦେଖିକୁ ଗୋହିରାଭୋଳ ନିକଟରେ ଥିବା ନେଚର ସକ୍ୟାମ୍ପରେ ରହିବାକୁ ପଡିଥାଏ । ସନ୍ଧ୍ୟା ଓ ଭୋର ସମୟରେ ହରିଣ,ସମ୍ବର, ଗୁରାଣ୍ଡି, ଗୟଳ, ହାତୀ, ବାରାହା, ଭାଲୁ ସମେତ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଙ୍କୁ ଦେଖିଥାନ୍ତି। ସେଠାରୁ ଋଷିଆ ଝରଣାରେ ବୋଟିଂ ର ମଜା ଉଠାଇବା ସହ ପ୍ରକୃତିର ମଜାଉଠାଇଥାନ୍ତି । ହେଲେ ଏଭଳି ଅନେକ ସ୍ଥାନ ରହିଛି ଯାହାକି ପର୍ୟ୍ୟଟକ ଙ୍କ ଦୃଷ୍ଟି ଆଢୁଳାଳ ରହିଥିବା ଜଣାଯାଇଛି। ପଞ୍ଚଲିଙ୍ଗେଶ୍ୱର ନିକଟରେ କୂଳଡିହା ଅଭୟାରଣ୍ୟକୁ ଲାଗିଥିବା ଖୋମକୂଟ ଡ୍ୟାମ ରହିଛି । ଏହି ଡ୍ୟାମକୁ ନେଇ ଲୁଚି ରହିଛି ଅନେକ ଐତିହ୍ୟ। ଏହି ସ୍ଥାନରେ ଏକ ନିରୀକ୍ଷଣ କୋଠାକୁ ରାଜା କିଶୋରଚନ୍ଦ୍ର ମର୍ଦ୍ଧରାଜ ଅଭୟାରଣ୍ୟ ମୂଳରେ ହ୍ରଦ ନିର୍ମାଣ କରି ତିଆରି କରିଥିଲେ । ହ୍ରଦ ଭିତରେ ଗଡ଼ଚଣ୍ଡୀ ଠାକୁରାଣୀ ପାଣି ଭିତରେ ରହିଛନ୍ତି । ପ୍ରତ୍ୟକ୍ଷ ଠାକୁରାଣୀ ମାନି ରାଜା ପୂଜାର୍ଚ୍ଚନା କରି ଶିକାର କରିବାକୁ ବାହାରୁଥିଲେ।ଆଜି ନିରୀକ୍ଷଣ କୋଠାଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ନୂଆବର୍ଷ ଓ ବଡ଼ଦିନ ରେ ଏହି ଅଂଚଳରେ ବଣଭୋଜି କରିବାକୁ ଭିଡ଼ ଜମିଥାଏ ସତ ଅନ୍ୟ ସମୟରେ ଖାଁ ଖାଁ ଲାଗିଥାଏ । ଅଂଚଳରେ ବିକାଶ ଓ ପ୍ରଚାର ପ୍ରସାର ଅଭାବ ପାଇଁ ଆଜି ଏହି ସ୍ଥାନଟି ପର୍ୟ୍ୟଟକ ଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ନୀଳଗିରି ଅଂଚଳର ଟୁରିଷ୍ଟ ଗାଇଡ଼ ମନୋରଂଜନ ଦାସ କିଛି ହାତ ଗଣତି ପର୍ୟ୍ୟଟକ ଙ୍କୁ ସେହି ସ୍ଥାନକୁ ବୁଲାଇବାକୁ ନେଇଥାନ୍ତି । ସେହିପରି ଆଦିବାସୀ ବହୁଳ ଅଂଚଳରେ ଥିବା ଶାଳବଣୀ ଅଞ୍ଚଳରେ ପାହାଡ଼ ପର୍ବତ ଘେରା ଅଂଚଳରେ ଅବସ୍ଥିତ ଜଟାଧାରୀ ଶିବଲିଙ୍ଗ ରହିଛି । ଏହି ଲିଙ୍ଗ କାଳକ୍ରମେ ବୃଦ୍ଧି ପାଉଥିବା ବେଳେ ଏହି ପୀଠକୁ ଜଣେ ଆଦିବାସୀ ପୂଜକ ପୂଜାକରିଥାନ୍ତି ।ଏହି ସ୍ଥାନରେ ପ୍ରାକୃତିକ ସୌନ୍ଦର୍ୟ୍ୟ ଭରା ପାହାଡ଼ ,ଜଙ୍ଗଲ ରହିଛି ଯେଉଁଥିରେ କି ଆଦିବାସୀ ପଥର ଓ ଗଛରେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କି ଜୀବନ୍ତ କରିଛନ୍ତି ଏହି ଅଞ୍ଚଳକୁ । ଖାଲି ସେତିକି ନୁହଁ ଆଦିବାସୀ ନୃତ୍ୟ ସାଙ୍ଗକୁ ସିଆଡ଼ିପତ୍ର ଓ ଖଜୁରୀ ପତ୍ରରେ ନିର୍ମିତ ବିଭିନ୍ନ ସରଞ୍ଜାମ କରିଥାନ୍ତି ଅଞ୍ଚଳବାସୀ ଯାହା ଆଜି ଲୋକ ଲୋଚନକୁ ଆସିପାରିନାହିଁ । ସେହପରି ରଘୁନାଥ ଜୀଉ ମଠ,ଗୌରାଙ୍ଗ ମନ୍ଦିର,ଦଧି ବାମନ ଜୀଉ ମନ୍ଦିର, ରାବାୟଣୀ ମନ୍ଦିର,ମୁକୁନ୍ଦପୁର ବଳଦେବଜୀଉ ମନ୍ଦିର ସହିତ ଏସବୁ ସ୍ଥାନକୁ ଯଦି ସରକାର ଦୃଷ୍ଟି ଦେଇ ପୁନଃ ଉଦ୍ଧାର କରନ୍ତେ ତାହେଲେ ନୀଳଗିରି ପର୍ୟ୍ୟଟନ କ୍ଷେତ୍ରରେ ମାନଚିତ୍ର ବଦଳିବା ସହ ପର୍ୟ୍ୟଟକ ଙ୍କ ସୁଅ ଛୁଟି ପାରନ୍ତା ।






