ଭୁବନେଶ୍ଵର, (ବାଘୁଆବାର୍ତ୍ତା): ବାତ୍ୟା ଗୁଲାବର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କ ଜୀବନ ରକ୍ଷା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବାତ୍ୟା ପରବର୍ତ୍ତୀ ସ୍ଥିତିରେ ଉଦ୍ଧାର କାର୍ୟ୍ୟ ତ୍ବରାନ୍ବିତ କରିବା ଉପରେ ଜୋର ଦିଆଯାଇଛି । ଓଡ୍ରାଫର ୪୨ଟିମ, ଏନଡ଼ିଆରଫ ୨୪ ଟିମ ଓ ଫାୟାର ସର୍ଭିସର ୧୦୩ ଟିମ ମୁତୟନ ହୋଇଛନ୍ତି। ସେପଟେ ବନ୍ୟା ଜଳ ପରିଚାଳନା ପାଇଁ ଜଳସେଚନ ବିଭାଗ ସତର୍କ ରହିଛି। ବାତ୍ୟା ଗୁଲାବର ମୁକାବିଲା ନେଇ ପ୍ରସ୍ତୁତିର, ଦିଲ୍ଲୀରୁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଶା ଭବନରୁ ଭିଡ଼ିଓ କନଫରେନସିଂ ଜରିଆରେ ପ୍ରଶାସନିକ ସମୀକ୍ଷା କରିବା ସମୟରେ ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଭାବିତ ଜିଲ୍ଲାର ତଳିଆ ତଥା ବନ୍ୟାପ୍ରବଣ ସ୍ଥାନରେ କଚ୍ଚା ଘରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ସମ୍ଭାବନା ଥିବା ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କାର୍ୟ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଆଶ୍ରୟ ସ୍ଥଳୀରେ ମାସ୍କ ବ୍ୟବହାରକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବାତ୍ୟା ଆଶ୍ରୟସ୍ଥଳରେ ସବୁପ୍ରକାର ମୌଳିକ ବ୍ୟବସ୍ଥା ଗ୍ରହଣ ସହ ସଂଗେ ସଂଗେ ଗର୍ଭବତୀ ମହିଳା, ବୟସ୍କ ଓ ଶିଶୁଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ବାତ୍ୟା ପରେ ପରେ ରାସ୍ତା ସଫା କରିବା, ବିଦ୍ୟୁତ ଓ ଜଳଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର କାର୍ୟ୍ୟ ତ୍ବରାନ୍ବିତ କରିବା ପାଇଁ ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏପଟେ ଏସ ଆରସି କହିଛନ୍ତି ବତ୍ୟା ପ୍ରଭାବରେ ୩ ପ୍ରକାର କ୍ଷତି ହେବାର ସମ୍ଭାବନା ରହିଛି । ପବନ ଜନିତ କ୍ଷତି, ଭୂସ୍ଖ୍ଳନ ଜନିତ କ୍ଷତି ଏବଂ ବନ୍ୟା ଜନିତ କ୍ଷତି । ୧. ପବନ ଯୋଗୁଁ ଅଧିକ କ୍ଷୟକ୍ଷତି ହେବ, ଗଛ, ଖୁଣ୍ଟି ଉପୁଡି ପାରେ । ୨. ଗଜପତି, ରାୟଗଡା, କୋରାପୁଟରେ ଲ୍ୟାଣ୍ଡ ସ୍ଲାଇଡ୍ ହେବାର ସମ୍ଭାବନା ରହିଛି । ୩. ନାଗାବଳି, ଋଷିକୂଲ୍ୟା ବଂଶଧାରାରେ ବନ୍ୟା ପାଣି ଆସିପାରେ । ଫ୍ଲାସ୍ ଫ୍ଲଡ୍ ହେବାର ସମ୍ଭାବନା ରହିଛି। ଏଥିପାଇଁ ଉଦ୍ଧାରକାରୀ ଦଳ ଆଲର୍ଟ ଅଛନ୍ତି । କୋଷ୍ଟଗାର୍ଡ ଓ ନୌବାହିନୀର ସହାୟତା ପାଇଁ ଆଲୋଚନା ହୋଇଛି । ଓଡ୍ରାଫର ୪୨ଟିମ, ଏନଡ଼ିଆରଫ ୨୪ ଟିମ ଓ ଫାୟାର ସର୍ଭିସର ୧୦୩ ଟିମ ମୁତୟନ ହୋଇଛନ୍ତି। ସେମାନେ ଫେରିବା ପରେ କୋଭିଡ୍ ଲକ୍ଷଣ ଉପରେ ନଜର ରଖାଯିବ ବୋଲି କହିଛନ୍ତି ଏସ ଆର ସି। ବନ୍ୟା ଜଳ ପରିଚାଳନା ପାଇଁ ଜଳ ସେଚନ ବିଭାଗ ସତର୍କ ରହିଛି। ଗୋଟା ବ୍ୟାରେଜକୁ ନୀରିକ୍ଷଣରେ ରଖାଯାଇଛି। ୨ମିଟର ଜଳସ୍ତର କମାଯାଇଛି। ୨୨ ଗେଟରୁ ୧୬ ଟି ଗେଟ ଖୋଲାଯାଇଛି। ଶ୍ରୀକାକୁଲମ ଇଆଇସିଙ୍କ ସହିତ ସମ୍ପର୍କରେ ଅଛନ୍ତି ଓଡିଶା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ। କୋଲାବ, ଇନ୍ଦ୍ରାବତୀ ଡ୍ୟାମରେ ଜଳସ୍ତର ୫୦ ପ୍ରତିଶତ ତଳେ ରହିଛି। ପ୍ରତି ଡ୍ୟାମ ସାଇଟରେ ଜଣେ ଜଣେ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଦାୟିତ୍ୱରେ ଅଛନ୍ତି। ଋଷିକୂଲ୍ୟା ଓ ବଂଶଧାରାରେ ଦିନ ରାତି ପାଟ୍ରୋଲିଂ କରାଯାଉଛି। କଟକ ଡ୍ରେନେଜ ଡିଭିଜନର ଜଣେ କାର୍ୟ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ ପଠାଯାଇଛି। ବ୍ରହ୍ମପୁର ନିୟନ୍ତ୍ରଣ କକ୍ଷରେ ସ୍ଥିତି ନିୟନ୍ତ୍ରଣ କରାଯାଉଥିବା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।






