ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବାତ୍ୟା ‘ଗୁଲ୍-ଆବ୍’ ପଛେ ପଛେ ଆଉ ଏକ ଲଘୁଚାପ ଆସୁଛି । ଏ ସମ୍ଭାବ୍ୟ ଲଘୁଚାପ ଓଡ଼ିଶା ଆସିବ ବୋଲି ସ୍କାଏମେଟ ଆକଳନ କରିଛି । ବର୍ତ୍ତମାନର ବାତ୍ୟା ଯିବା ପରେ ବି ସେପ୍ଟେମ୍ବର ଶେଷବେଳକୁ ରାଜ୍ୟରେ ଆହୁରି ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଡିଆଁମୁ’ର ଏହା ଅଂଶ ବିଶେଷ ହେବ । ଡିଆଁମୁ କ୍ରମଶଃ ଦୁର୍ବଳ ହେବା ସହ ଭିଏତନାମ, ଥାଇଲାଣ୍ଡ ଅତିକ୍ରମ କରିବା ପରେ ଏବେ ମିଆଁମାର ଉପରେ ରହିଛି ଲଘୁଚାପ ଅବସ୍ଥାରେ । ଏହା ଆହୁରି ଦୁର୍ବଳ ହୋଇ ୨୬ ତାରିଖବେଳକୁ ଘୂର୍ଣ୍ଣିବଳୟ ରୂପ ନେଇ ବଙ୍ଗୋପସାଗରକୁ ପଶିବ । ପରେ ଘନୀଭୂତ ହୋଇ ଲଘୁଚାପ ରୂପ ନେବ । ଆଉ ମୁହାଁଇବ ଓଡ଼ିଶା ଉପକୂଳ ଆଡ଼କୁ । ଏହା ପ୍ରଭାବରେ ସେପ୍ଟେମମ୍ବର ଶେଷ ସପ୍ତାହରେ ଓଡ଼ିଶାରେ ବର୍ଷା ଲାଗି ରହିବ । ଚଳିତ ସେପ୍ଟେମ୍ବର ମାସରେ ଏହା ରାଜ୍ୟର ପଞ୍ଚମ ଲଘୁଚାପ ହେବ ।






