ଗଜପତି, (ବାଘୁଆବାର୍ତ୍ତା): ସମ୍ଭାବ୍ୟ ବାତ୍ୟା ଗୁଲାବର ପ୍ରଭାବରେ ଆଜି ସକାଳୁ ଗଜପତି ଜିଲ୍ଲାର ଆକାଶ ମେଘାଛନ୍ନ ରହିଥିବା ସହ ଝିପଝିପ ବର୍ଷା ଲାଗିରହିଛି । ଜିଲ୍ଲାରେ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ପୂର୍ବରୁ ଗଜପତି ଜିଲ୍ଲାରେ ବର୍ଷାର ପରିମାଣ ବଢିଲେ ଜିଲ୍ଲାର ରାୟଗଡ ବ୍ଲକ , ଗୁମ୍ମା ବ୍ଲକ, ଆର ଉଦୟଗିରି ବ୍ଲକ , ନୂଆଗଡ଼ ବ୍ଲକରେ ଭୂସ୍ଖଳନ ଭଳି ସମସ୍ୟା ଦେଖାଯାଇଥାଏ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ୪ଟି ଓଡ୍ରାଫ୍ ବାହିନୀ ଆସି ପହଞ୍ଚିଛନ୍ତି। ଜରୁରୀକାଳିନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଶାସନର ନିର୍ଦ୍ଦେଶ କ୍ରମେ ଏହି ଓଡ୍ରାଫ୍ ଟିମ୍କୁ ଜିଲ୍ଲାର କଇଁପୁର, ଗଙ୍ଗାବାଡ଼,କଲାକୋଟ ଇତ୍ୟାଦି ସମ୍ବେଦନଶୀଳ ଅଞ୍ଚଳକୁ ପଠାଯିବ। ପ୍ରଶାସନ ତରଫରୁ ତଳିଆ ଅଞ୍ଚଳର ଲୋକଙ୍କୁ ଜିଲ୍ଲାର ବିଭିନ୍ନ ବ୍ଲକର ୨୨ଟି ବାତ୍ୟା ଆଶ୍ରୟସ୍ଥଳୀରେ ୧୨୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି । ସବୁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା କରାଯାଇଛି । ଗର୍ଭବତୀ ମାଆମାନଙ୍କୁ ମା ଗୃହ ଏବଂ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିବା ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।






