ବଲାଙ୍ଗିର, (ବାଘୁଆବାର୍ତ୍ତା): ସ୍କୁଲ ଭିତରେ ପସି ଜଣେ ଶିକ୍ଷୟିତ୍ରୀଙ୍କ ସ୍ବାମୀ ତାଙ୍କ ତଣ୍ଟି କାଟି ଦେଇଛନ୍ତି । ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ ଏପରି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀ ସଞ୍ଜୁରାଣୀ ଦେବ(୩୦)ଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନୃଶଂସ ସ୍ବାମୀ ପ୍ରଦୀପ ପଣ୍ଡାକୁ ପୁଲିସ କାବୁ କରି ଥାନାକୁ ନେଇଥିବା ଜଣାଯାଇଛି । ଶିକ୍ଷୟିତ୍ରୀଙ୍କ କହିବା ଅନୁସାରେ, ବର୍ଷେ ହେଲା ଆଗଲପୁର ବନ୍ଧବାହାଲର ପ୍ରଦୀପ ପଣ୍ଡାଙ୍କ ସହ ବିବାହ ହୋଇଥିଲା । ସେ ମଧ୍ୟ ଟିଟିଲାଗଡ଼ର ଏକ ସ୍କୁଲରେ ଶିକ୍ଷକ ଆଛନ୍ତି । ତେବେ ଶାଶୁଘର ଲୋକେ ନିର୍ୟାତନା ଦେଉଥିବାରୁ ସେ ଡିଭୋସ ଫାଇଲ କରିଥିଲେ । ପୁର୍ବରୁ ମଧ୍ୟ ସେ ତାଙ୍କୁ ମାଡ଼ ମାରୁଥିଲେ । ଆଜି ସ୍କୁଲରେ ପହଞ୍ଚି ସମସ୍ତଙ୍କୁ ଛୁରି ଦେଖାଇଥିଲେ । ତାଙ୍କ କେଶକୁ ଧରି ବେକକୁ ଛୁରୀରେ କାଟିଦେଇଥିଲେ । ପରେ ଶିକ୍ଷକ ଓ ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ଉପସ୍ଥିତ ଥିବା ଗ୍ରାମବାସୀ ତାଙ୍କୁ ଧରି ପୁଲିସକୁ ଦେଇଥିଲେ । ତାଙ୍କ ଠାରୁ ଏକ ଲୁହା ଚେନ ଓ ପେଟ୍ରୋଲ ମଧ୍ୟ ଜବତ କରାଯାଇଥିବା ଜଣାପଡିଛି ।






