ଭଞ୍ଜନଗର, (ବାଘୁଆବାର୍ତ୍ତା): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା କୁଟୁଳୁକୁମ୍ପା ଗାଁରେ ଜଣେ ବ୍ୟକ୍ତିଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଶିବରାମ ନାୟକ (୫୫)। ତାଙ୍କ ଛାତି ଓ ପେଟରେ ଗୁଳି ବାଜିଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ଶିବରାମ ନିଜ ଜମିକୁ କାମ କରିବାକୁ ଯାଇଥିଲେ। ସେ ସେଠାରେ କାମ କରୁଥିବା ବେଳେ ତାଙ୍କ ଗାଁର ଜଣେ ଯୁବକ ସେଠାରେ ପହଞ୍ଚିଥିଲେ ଓ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଗୁଳି ଶବ୍ଦ ଶୁଣି ନିକଟ ଜମିରେ କାମ କରୁଥିବା ଲୋକେ ଦୌଡ଼ି ଆସିଥିଲେ। ସେମାନେ ପରିବାର ଲୋକଙ୍କୁ ଖବର ଦେବା ସହିତ ଶିବରାମଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର କହିଛନ୍ତି। ଅନ୍ୟପକ୍ଷରେ ଭଞ୍ଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।






