ନୀଳଗିରି, (ବାଘୁଆବାର୍ତ୍ତା): ତିନି ମାସର ଶିଶୁ କନ୍ୟା ଓ ତାଙ୍କ ବାପାଙ୍କୁ ଅତି ଅମାନୁଷିକ ଭାବେ ହାଣି ପଙ୍ଗୁ କରିଦେଇଥିବା ମୁଦାଲା ଆଜି ଦଣ୍ଡିତ ହୋଇଛନ୍ତି। ୨୦୨୦ ମସିହା ଅଗଷ୍ଟ ମାସ ୧୧ ତାରିଖରେ ଔପଦା ବ୍ଲକ ପାଇକପଡା ଗାଁରେ ଘଟିଥିଲା ଏଭଳି ଲୋମ ହର୍ଷଣକାରୀ ଘଟଣା। ସୋମବାର ଅଭିଯୁକ୍ତ ଗଣେଶ ନାଇକିଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ୩ ମାସ ଅଧିକ ଜେଲ ରେ ଦଣ୍ଡିତ କଲେ ନୀଳଗିରି ସହକାରୀ ଦୌରାଜଜ ମଧୁସ୍ମିତା ଜେନା। ୧୧ ଜଣ ସାକ୍ଷୀଙ୍କ ଆଧାରରେ ଅଭିଯୁକ୍ତ ଦଣ୍ଡିତ କରିଥିବା ସୂଚନା ମିଳିଛି। ଏହି କେଶକୁ ସରକାରୀ ଓକିଲ ଅମରେନ୍ଦ୍ର ପଟ୍ଟନାୟକ ପରିଚାଳନା କରୁଥିଲେ। ସୂଚନାଯୋଗ୍ୟ ଗତବର୍ଷ ଅଗଷ୍ଟ ୧୧ ତାରିଖରେ ଔପଦା ଥାନା ଅଧିନ ପାଇକପଡା ଗାଁରେ ପଙ୍କଜ ନାଇକି ତାଙ୍କ ୩ ମାସର ଶିଶୁ କନ୍ୟାକୁ କାଖେଇ ଘରେ ଥିବାବେଳେ ସେହି ଗ୍ରାମର ଗଣେଶ ଏକ ଧାରୁଆ ଅସ୍ତ୍ରରେ ଆତର୍କିତ ଆକ୍ରମଣ କରିଥିଲେ। ଫଳରେ ଶିଶୁ କନ୍ୟାର ଶରୀରରୁ ହାତ ଛିଣ୍ଡି ଯାଇଥିବା ବେଳେ ତାଙ୍କ ବାପାଙ୍କ ହାତରେ ଗଭୀର କ୍ଷତ ଲାଗିଥିଲା। ଉଭୟ ବିକଳାଙ୍ଗ ହୋଇଥିବା ସୂଚନା ମିଳିଛି। ପାରିବାରିକ ଶତ୍ରୁତା କୁ ନେଇ ଏଭଳି ଆକ୍ରମଣ କରିଥିବା ଜଣାପଡିଛି।






