ଭୁବନେଶ୍ଵର, (ବାଘୁଆବାର୍ତ୍ତା): ରାଜ୍ୟରେ ଅକ୍ଟୋବରରେ ଖୋଲିପାରେ ପ୍ରାଥମିକ ବିଦ୍ୟାଳୟ । ଆସନ୍ତା ୧୫ ଦିନ ମଧ୍ୟରେ ଯଦି କରୋନା ସଂକ୍ରମଣ ଆଉ ବୃଦ୍ଧି ନ ହୁଏ ତେବେ ଅକ୍ଟୋବର ପ୍ରଥମ ସପ୍ତାହ କିମ୍ବା ଦଶହରା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ । ଗତ ମାସକ ମଧ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଏଭଳି ପଦକ୍ଷେପ ନେବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୁଅର ବା ଏସଓପି ତିଆରି ଚାଲିଛି । ଦଶହରା ପୂର୍ବରୁ କ୍ୟାମ୍ପସ ସଫେଇ ଉପରେ ଗୁରୁତ୍ଵ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଡିଇଓ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଡିପିସି ଓ ଡିଇଓଙ୍କୁ କୁହାଯାଇଛି । କ୍ୟାମ୍ପସ ସହ କ୍ଲାସରୁମ୍ ସଫେଇ ଉପରେ ପ୍ରାଥମିକତା ଦେବାକୁ ପ୍ରଧାନ ଶିକ୍ଷକଙ୍କୁ ପରାମର୍ଶ ଦେବାକୁ କୁହାଯାଇଛି । ପ୍ରାଥମିକ ବିଦ୍ୟାଳୟ ଖୋଲିବା ସପକ୍ଷରେ ବିଶେଷଜ୍ଞମାନେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେଣି । ସେମାନଙ୍କ କହିବା ଅନୁଯାୟୀ, ଛୋଟ ପିଲାଙ୍କୁ ଟିକାକରଣ ପର୍ୟ୍ୟନ୍ତ ଅପେକ୍ଷା କରିବା ଅନୁଚିତ। ଛୋଟ ପିଲାଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ରହିଛି। କରୋନା ମୁକାବିଲାରେ ସେମାନେ ସକ୍ଷମ । ତେଣୁ ପିଲାଙ୍କୁ କରୋନା ପାଇଁ ପାଠପଢାରୁ ବଞ୍ଚିତ କରାଯିବା ଅନୁଚିତ । ଯାହାକୁ ଆଧାର କରି ରାଜ୍ୟ ସରକାର ବିଚାରବିମର୍ଶ ଚଲାଇଛନ୍ତି।





