ନିଶ୍ଚିତକୋଇଲି, (ବାଘୁଆବାର୍ତ୍ତା): ପାରୋଲରେ ଆସି ଆତ୍ମହତ୍ୟା କଲେ କଏଦୀ। ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀ ପାରୋଲରେ ଆସି ଜେଲ୍ ଫେରିବା ଦିନ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ କଟକ ଜିଲ୍ଲା ମାହାଙ୍ଗା ଥାନା ବାରାହିପୁର ଗାଁର ରାଜକିଶୋର ନାୟକ (ବୟସ-୫୮)। ରାଜକିଶୋର ନାୟକ ପୁରୀ କାକଟପୁର ଅଞ୍ଚଳର ହୋଇଥିବା ବେଳେ ସେ ବାରାହିପୁରରେ ଥିବା ଶ୍ଵଶୁର ଘରେ ଦୀର୍ଘ ଦିନ ହେଲା ରହି ଆସୁଥିଲେ। ୨୦୦୮ରେ ସେ ମାହାଙ୍ଗାର ତ୍ରିବେଣୀଶ୍ଵର ବଜାରରେ ହୋଇଥିବା ବୋମାମାଡ଼ ଘଟଣାରେ ଜଣଙ୍କ ମୃତ୍ୟୁ ଅଭିଯୋଗରେ ଚୌଦ୍ଵାର ଜେଲରେ ଆଜୀବନ କଏଦୀ ଭାବେ ସଜା କାଟୁଥିଲେ। ଗତ ମେ ମାସ ୨୧ ତାରିଖରେ କରୋନା ପାଇଁ ସେ ଘରକୁ ପାରୋଲରେ ଆସିଥିଲେ। ପାରୋଲ ଶେଷ ପରେ ଆଜି ସେ ପୁଣି ଥରେ ଜେଲ୍ ଫେରିଥାନ୍ତେ। ହେଲେ ରାଜକିଶୋର ସକାଳୁ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।






