ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଗ୍ରାହକ: ‘ଫୋନ୍ ପେ’ ରେ ଟଙ୍କା ଗଲା ତ? ଦୋକାନୀ: ନାଈ ଆଜ୍ଞା, ମୋ ଫୋନ୍କୁ ତ ଆସିନି । ଗ୍ରାହକ: ଅପେକ୍ଷା କର । ଅଧ ଘଣ୍ଟାଏରେ ଯିବ । ନିଶ୍ଚୟ ଯିବଟ୍ଟଏହା ହେଉଛି ଅନ୍ଲାଇନ୍ ପେମେଣ୍ଟ ଠକେଇର ନୂଆ ଚାଲ୍ । ଏମିତି ଢ଼ଙ୍ଗରେ ଜଣେ ଯୁବକ ଏକ ଜୁଏଲର୍ସ ଦୋକାନରୁ ଲକ୍ଷେ ଟଙ୍କାର ରୁପା ଅଳଙ୍କାର ଠକି ନେଇଛନ୍ତି । ପାତ୍ରପଡ଼ାର ଡିଏନ୍ ରେଗାଲିଆ ମଲ୍ରେ ଥିବା ନିମନ୍ତ୍ରଣ ଜୁଏଲର୍ସର ମାଲିକ ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଛି । ମାଲିକଙ୍କ ଅଭିଯୋଗ ମୁତାବକ, ବୁଧବାର ସନ୍ଧ୍ୟାରେ ଜଣେ ଯୁବକ ଦୋକାନକୁ ଆସିଲେ । ବେଶଭୂଷାରୁ ସେ ସମ୍ଭାନ୍ତ ଶ୍ରେଣୀର ବୋଲି ଲାଗୁଥିଲେ । ଦୋକାନରେ ରୁପା ଥାଳି, ବ୍ରେସ୍ଲେଟ୍ ଓ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ । ସମସ୍ତ ରୁପା ସାମଗ୍ରୀର ମୂଲ୍ୟ ୧ ଲକ୍ଷ ୧୫ ହଜାର ଟଙ୍କା ହେଲା । ଯୁବକଜଣକ ତାଙ୍କ ମୋବାଇଲ୍ ଫୋନ୍ ବାହାର କରି ଅନ୍ଲାଇନ୍ ପେମେଣ୍ଟ ‘ଫୋନ୍ ପେ’ ଜରିଆରେ ୪ ଥର ଟ୍ରାନଜାକ୍ସନ କରି ସମସ୍ତ ଟଙ୍କା ପୈଠ କଲେ । ଏହାର ସ୍କ୍ରିନ୍ ସର୍ଟ ମଧ୍ୟ ଦୋକାନୀଙ୍କୁ ଦେଖାଇଲେ । କିନ୍ତୁ ଦୋକାନ କାଉଣ୍ଟରରେ ବସିଥିବା କର୍ମଚାରୀ ଟଙ୍କା ଆସି ନଥିବା କହିବାରୁ ଯୁବକ ଜଣକ ବିଚଳିତ ହୋଇ ଯାଇଥିଲେ । ଯୁବକଜଣକ କହିଥିଲେ, ଏବେ ସନ୍ଧ୍ୟା ଟାଇମ୍ । ନେଟୱର୍କ ଜାମ୍ ଥିବ । ଏମିତିରେ ମୁଁ ଟିକେ ବ୍ୟସ୍ତ ଅଛି । ଅପେକ୍ଷା କର । ଟଙ୍କା ଯିବ । ନହେଲେ, ମୋବାଇଲ୍ ନମ୍ବର ଅଛି । ମୁଁ ପୁଣି ପଠେଇଦେବି । ଏହି ପ୍ରତିଶ୍ରୁତି ପରେ ଦୋକାନୀ ମଧ୍ୟ ଯୁବକଙ୍କୁ ଛାଡିଦେଲେ । କିନ୍ତୁ ଘଟଣା ପରଦିନ ସକାଳ ଯାଏଁ ଟଙ୍କା ନ ଆସିବାରୁ ଦୋକାନୀ ବ୍ୟସ୍ତବିବ୍ରତ ହୋଇଯାଇଥିଲେ । ସନ୍ଧ୍ୟା ଯାଏଁ ଅପେକ୍ଷା କରିବା ପରେ ଆଜି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ସିସିକ୍ୟାମେରାରୁ ଯୁବକଙ୍କୁ ଚିହ୍ନଟ କରିଛି । ଧରିବାକୁ ଚେଷ୍ଟା ଚଳାଇଛି ।






