ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆଗାମୀ ଦିନରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହିଲ ବଡ଼ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ସେ ଟି-୨୦ ବିଶ୍ୱକପ୍ ପରେ ଅଧିନାୟକ ପଦ ଛାଡିବା ନେଇ ନେଇଛନ୍ତି ନିଷ୍ପତ୍ତି । ତେବେ ସେ ଦିନିକିଆ ଏବଂ ଟେଷ୍ଟରେ ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି ସ୍ପଷ୍ଟ କରିଛନ୍ତି । କୋହଲିଙ୍କ ଇସ୍ତଫା ପ୍ରସଙ୍ଗ ଏବେ ବେଶ କିଛି ଦିନ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଭିନ୍ନ ଗଣମାଧ୍ୟମରେ କୋହଲି ଅଧିନାୟକ ପଦ ଛାଡିବା କଥା ପ୍ରକାଶ ପାଇଥିଲେ ମଧ୍ୟ ପରେ ବିସିସିଆଇ ଏହାକୁ ଖଣ୍ଡନ କରିଥିଲେ । ଆଜି ଏହି ନାଟକର ଯବନିକା ନିଜେ କୋହଲି ପକାଇଛନ୍ତି । ସୋସିଆଲ ସାଇଟରେ ସେ ଏକ ପତ୍ର ମାଧ୍ୟମରେ ଅଧିନାୟକ ପଦ ଛାଡିବା କଥା ଲେଖିଛନ୍ତି । ମୁଁ ଗତ ୯ ବର୍ଷ ଧରି ସମସ୍ତ ଫର୍ମାଟରେ ଦଳର ନେତୃତ୍ୱ ନେଇ ଆସୁଛି । କାର୍ୟ୍ୟଭାର ଯୋଗୁ ମୁଁ ଚାପରେ ରହୁଛି । ଏବେ ନିଜକୁ କିଛି ସମୟ ଦେବାକୁ ଚାହୁଁଛି ବୋଲି ଲେଖିଛନ୍ତି । ଭାରତର ପ୍ରତିନିଧିତ୍ୱ କରିବା ମୋ ପାଇଁ ଗର୍ବର ବିଷୟ । ଯେଉଁମାନେ ସହଯୋଗ କରିଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଦେଉଛି । ତେବେ କୋହିଲ୍ ଅଧିନାୟକ ପଦ ଛାଡିବା ପରେ ରୋହିତ ଶର୍ମା ଟି୨୦ ଅଧିନାୟକ ଦୌଡରେ ଆଗରେ ଥିବା ଜଣାପଡିଛି ।






