ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ସ୍ୱତନ୍ତ୍ର ପରୀକ୍ଷା ଦେବା ପାଇଁ ୧୩ ହଜାର ୪୩ ଜଣ ଆବେଦନ କରିଛନ୍ତି । କଳାରୁ ସର୍ବାଧିକ ୯ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ବିଜ୍ଞାନରୁ ୨ ହଜାର ୩ ଶହ, ବାଣିଜ୍ୟରୁ ୬ ଶହ, ଧନ୍ଦାମୂଳକରୁ ପ୍ରାୟ ୪୫୦ ଓ କରେସପଣ୍ଡେନ୍ସ କୋର୍ସରୁ ପାଖାପାଖି ୫ ଶହ ଆବେଦନ କରିଥିବା ପରିଷଦ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚଳିତ ମାସ ଶେଷ କିମ୍ବା ଅକ୍ଟୋବର ପ୍ରଥମ ସପ୍ତାହରେ ପରୀକ୍ଷା କରିବାକୁ ଯୋଜନା ଚାଲିଛି । ଯାହା ସୋମବାର କିମ୍ବା ମଙ୍ଗଳବାର ସ୍ପଷ୍ଟ ହେବ । ପରୀକ୍ଷା ପରିଚାଳନା କରୁଥିବା ଫାର୍ମ ସହ ଆଲୋଚନା ପରେ ତାରିଖ ଚୂଡ଼ାନ୍ତ ହେବ । ଉଲ୍ଲେଖଯୋଗ୍ୟ, ଚଳିତବର୍ଷ କରୋନା ପାଇଁ ଦଶମ ଭଳି ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଲିଖିତ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ମୂଲ୍ୟାୟନ ଅନୁସାରେ ଛାତ୍ରଛାତ୍ରୀଙ୍କୁ ମାର୍କ ମିଳିଥିଲା । ସେହି ମାର୍କକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଓ ଆଦୌ ପରୀକ୍ଷା ଦେଇନଥିବା ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ଯୁକ୍ତ ଦୁଇର ଏହି ସ୍ୱତନ୍ତ୍ର ପରୀକ୍ଷା ଦେଇପାରିବେ ବୋଲି ପରିଷଦ ସୂଚନା ଦେଇଥିଲା । ଗତ ୯ ତାରିଖ ଅପରାହ୍ଣ ୧ଟାରେ ପଞ୍ଜୀକରଣ ସରିଥିବାବେଳେ ଯେଉଁମାନେ ଅଫଲାଇନରେ ଲିଖିତ ପରୀକ୍ଷା ଦେବେ, ସେମାନଙ୍କୁ ବିକଳ୍ପ ମୂଲ୍ୟାୟନରେ ମିଳିଥିବା ମାର୍କ କାଏମ ରହିବନି । ଏହି ସ୍ୱତନ୍ତ୍ର ପରୀକ୍ଷା ମାର୍କ ହିଁ ଚୂଡ଼ାନ୍ତ ହେବ । କେବଳ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକର ପରୀକ୍ଷା ହେବ । ସେହି ଅନୁସାରେ ଅନ୍ୟ ବିଷୟ ଗୁଡ଼ିକରେ ମାର୍କ ଦିଆଯିବ । ପରୀକ୍ଷାର୍ଥୀଙ୍କ ସଂଖ୍ୟା ଅନୁସାରେ ପରୀକ୍ଷା କେନ୍ଦ୍ର ହେବ । ପରୀକ୍ଷା କେବଳ ନିର୍ଦ୍ଦିଷ୍ଟ କିଛି ପରୀକ୍ଷା ପରିଚାଳନା ହବ୍ରେ ଅନୁଷ୍ଠିତ ହେବ । ପରୀକ୍ଷାରେ ପ୍ରଶ୍ନ ୨୦୨୧ ବାର୍ଷିକ ପରୀକ୍ଷା ପାଇଁ ପୂର୍ବରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଆସିବ ।





