କୋଣାର୍କ, (ବାଘୁଆବାର୍ତ୍ତା): ଚଳିତବର୍ଷ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଅନଲାଇନରେ କରାଯାଇଥିବା ବେଳେ ଅନେକ ମେଧାବୀ ଛାତ୍ରଛାତ୍ରୀ ନିଜ ଫଳାଫଳ ନେଇ ଅସନ୍ତୁଷ୍ଟ ଅଛନ୍ତି । ପୁରୀ କୋଣାର୍କ ରାସ୍ତାରେ ଥିବା ଚନ୍ଦ୍ରଶେଖର ଏକାଡେମୀ ସ୍କୁଲରେ ତ୍ରୁଟିପୂର୍ଣ୍ଣ ମାର୍କିଂକୁ ନେଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଚନ୍ଦ୍ରଶେଖର ଏକାଡେମୀ ସ୍କୁଲରେ ଦଶମ ଶ୍ରେଣୀରେ ୩୧ ଜଣ ପିଲା ପଢୁଥିଲେ କିନ୍ତୁ ଅନଲାଇନ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଲା ପରେ ୧୨୭ ଜଣ ପରୀକ୍ଷା ଦେଇଥିବାର ଜଣାପଡିବା ପରେ ତାତିଥିଲେ ଅଭିଭାବକ । ପୂର୍ବରୁ ସ୍କୁଲରେ ପଢ଼ୁଥିବା ୩୧ ଜଣ ଛାତ୍ରଛାତ୍ରୀଙ୍କ ମାର୍କ କମ୍ ଥିବାରୁ ସ୍କୁଲ ତରଫରୁ କିପରି ମାର୍କ ଦିଆଯାଇଥିଲା ସେ ନେଇ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସଠିକ୍ ଉତ୍ତର ପାଇନଥିଲେ । ଏହାର ପ୍ରତିବାଦରେ ସ୍କୁଲ ଗେଟ୍ ନିକଟରେ ରାତି ତମାମ ବସିଥିଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ଯେପର୍ୟ୍ୟନ୍ତ ଏହି ଘଟଣାର ସମାଧାନ ହୋଇନି ସେପର୍ୟ୍ୟନ୍ତ ଉଠିବୁ ନାହିଁ ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଏପଟେ ସ୍କୁଲରେ ଗୋପ ଅତିରିକ୍ତ ତହସିଲଦାର ଓ ସଦର ଥାନା ଆଇଆଇସି ପହଞ୍ଚିଥିଲେ ମଧ୍ୟ କିଛି ସୁଫଳ ମିଳିନି । ଅଭିଭାବକ ଗତ ଅଗଷ୍ଟ ୨ ତାରିଖରେ CBSE ଦଶମ ରେଜଲ୍ଟ ପ୍ରକାଶ ପାଇବା ପରେ ସ୍କୁଲ ଅଧକ୍ଷ୍ୟଙ୍କ ନାମରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଅଭିଭାବକ ଓ ଛାତ୍ରଛାତ୍ରୀ। ପରେ କୌଣସି ସୁଫଳ ନ ମିଳିବାରୁ ଗୁରୁବାର ସକାଳ ୧୦ଟାରୁ ଅଭିଭାବକ ଓ ଛାତ୍ରଛାତ୍ରୀ ସ୍କୁଲ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଯଦି ପ୍ରଶାସନ ଆମ କଥା ନଶୁଣନ୍ତି ତାହାଲେ ଆଗକୁ ଆଇନକୁ ହାତକୁ ନେବା ସହ ପୁରୀ-କୋଣାର୍କ ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ଅଭିଭାବକ ।





