ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଖାରବେଳନଗର ଥାନା ଅନ୍ତର୍ଗତ ସତ୍ୟନଗରରେ ଜଣେ ଯୁବକଙ୍କ ପେଟରେ ଲୁହା ରଡ୍ ପୁରାଇ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ପୁଲିସ ଜଣକୁ ଗିରଫ କରିଛି । ତାଙ୍କ ନାମ ରାମଚନ୍ଦ୍ର ପୃଷ୍ଟି(୫୩) । ଘର ସତ୍ୟନଗର ପିଏଚ୍ଡି କଲୋନୀ । ସତ୍ୟନଗର କ୍ୱାର୍ଟର୍ର ନଂ-ଏଲ୍ଜି/୩୫ରେ ରହୁଥିବା ଅଭିମନ୍ୟୁ ମହାପାତ୍ର ବିଗ୍ ବଜାର ନିକଟରେ ଏକ ଗ୍ରୋସରୀ ଦୋକାନ କରିଛନ୍ତି । ଗତକାଲି ପୂର୍ବାହ୍ନରେ ରାମଚନ୍ଦ୍ର ନିଶାଶକ୍ତ ଅବସ୍ଥାରେ ତାଙ୍କ ଦୋକାନ ସମ୍ମୁଖରେ ଗାଳିଗୁଲଜ କରୁଥିଲେ । ଅଭିମନ୍ୟୁ ତାଙ୍କୁ ବାରଣ କରି ସେଠାରୁ ବିଦା କରି ଦେଇଥିଲେ । ସନ୍ଧ୍ୟାରେ ରାମଚନ୍ଦ୍ର ସେଠାରେ ପହଞ୍ଚି ପୁଣି ତାଙ୍କୁ ଗାଳିଗୁଲଜ କରିଥିଲେ । ଅଭିମନ୍ୟୁ ପ୍ରତିବାଦ କରିବାରୁ ରାମଚନ୍ଦ୍ର ଏକ ଲୁହା ରଡ୍ରେ ତାଙ୍କ ପେଟକୁ ଭୁସି ଦେଇଥିଲେ । ଖବରପାଇ ଖାରବେଳନଗର ଥାନା ପୁଲିସ ପହଞ୍ଚି ଅଭିମନ୍ୟୁଙ୍କୁ ହସ୍ପିଟାଲ ପଠାଇଥିଲା । ତାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲା । ରାମଚନ୍ଦ୍ରଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରଛି ।






