ପାରାଦୀପ, (ବାଘୁଆବାର୍ତ୍ତା): ଦିନ ଦ୍ୱିପହରରେ ଘରେ ପଶି ଲୁଟ୍ ଉଦ୍ୟମ। ସେ ପୁଣି ଖଣ୍ଡା, ଭୁଜାଲି ଓ ବନ୍ଧୁକ ଧରି। ଏଭଳି ଘଟଣା ଘଟିଛି ଜଗତସିଂହପୁର ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ନିକଟସ୍ଥ ଫୁଲବେଲାରୀ ଗ୍ରାମରେ। ସୂଚନା ଅନୁସାରେ, ଓମ୍ ପ୍ରକାଶ ଦାସ ନାମକ ଜଣେ ବ୍ୟକ୍ତି ଅପରାହ୍ନ ସମୟରେ ଘରେ ନିଜ ମାଆଙ୍କ ସହିତ ଖାଉଥିଲେ । ଏତିକି ବେଳେ ହଠାତ ୩ ଜଣ ଦୁର୍ବୁତ୍ତ ଖଣ୍ଡା,ଭୁଜାଲି ଓ ବନ୍ଧୁକ ଧରି ଘରେ ପଶି ଓମ୍ ପ୍ରକାଶଙ୍କୁ ଆଲମିରା ଚାବି ମାଗିଥିଲେ। ତେବେ ଓମ୍ ପ୍ରକାଶ ବାରଣ କରିବାରୁ ଦୁର୍ବୁତ୍ତ ମାନେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଓମ୍ କୌଣସି ପ୍ରକାରେ ଘରୁ ଖସି ଆସି ବାହାରେ ବଡ଼ ପାଟିକରି ଲୋକମାନଙ୍କୁ ଡାକିଥିଲେ । ଫଳରେ ବାହାରେ ୨ଟି ମୋଟରସାଇକେଲରେ ଅପେକ୍ଷା କରିଥିବା ଆଉ ଦୁଇ ଜଣ ଦୁର୍ବୁତ୍ତ ସହିତ ଲୁଟେରାମାନେ ଫେରାର ହୋଇଯାଇଥିଲେ। ଦୁର୍ବୁତ୍ତଙ୍କ ଆକ୍ରମଣରେ ଓମ୍ ପ୍ରକାଶ ଆହତ ହୋଇଥିବା ବେଳେ ପାରାଦୀପ ଲକ୍ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ଦୀର୍ଘବର୍ଷ ହେବ ଶିକ୍ଷକ ଭାବେ କାର୍ୟ୍ୟ କରି ଆସୁଥିବା ତାଙ୍କ ସହ ଏଭଳି ଘଟଣା କିଏ ଓ କାହିଁକି ଘଟାଇଲା ଏ ନେଇ ତଦନ୍ତ ହେଲେ ଜଣାପଡିବ ବୋଲି ଓମ୍ କହିଛନ୍ତି।






