ଭଞ୍ଜନଗର, (ବାଘୁଆବାର୍ତ୍ତା): ଗତ ଦୁଇ ତାରିଖରେ ବେଲଗୁଣ୍ଠା ବ୍ଳକ୍ ଗୋବରା ନିକଟରେ ହୋଇଥିବା ଏକ ଡ଼କାୟତି ଘଟଣାର ତଦନ୍ତ କରି ଗାଙ୍ଗପୁର ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଲୁଟ୍ ହୋଇଥିବା ନଗଦ ୧୭,୬୦୦ ଟଙ୍କା, ଗୋଟିଏ ମୋବାଇଲ୍,ଗୋଟିଏ କଳା ରଙ୍ଗର ପର୍ସ ସହିତ ଗୋଟିଏ ନମ୍ବର୍ ବିହୀନ ମୋଟରସାଇକେଲ୍ ଜବତ କରିଛି । ଗିରଫ ହୋଇଥିବା ଦୁଇ ଲୁଟେରା ହେଲେ ସୋରଡ଼ା କଇଠପଲ୍ଲୀ ସାହିର କ୍ରିଷ୍ଣା ଦାସ (୨୫) ଏବଂ ଏ. ଗଣେଶ (୩୬) । ସୂଚନା ଅନୁଯାୟୀ ଗତ ଦୁଇ ତାରିଖ ସନ୍ଧ୍ୟା ସମୟରେ ବେଲଗୁଣ୍ଠା ବ୍ଳକ୍ ମାଧବରୀଡା ଗ୍ରାମର କିରନ୍ କୁମାର ବିଶ୍ୱାଳ (୨୦) ଙ୍କ ଠାରୁ ଏନ୍ଏଚ୍-୧୫୭ ଉପରେ ଗୋବରା ପୁଟବନ୍ଧ ନିକଟରୁ ଦୁଇ ଜଣ ଦୁର୍ବୃତ୍ତ ନଗଦ ୧୭,୬୦୦ ଟଙ୍କା, ଗୋଟିଏ କଳା ରଙ୍ଗର ପର୍ସ ସହିତ ଗୋଟିଏ ଭିଭୋ ୱାଇ୯୫ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଲୁଟ୍ କରି ନେଇଯାଇଥିଲେ । ଏନେଇ କିରନ୍ ଗାଙ୍ଗପୁର ଥାନାରେ ଏତାଲା ଦେବାପରେ ଗାଙ୍ଗପୁର ପୋଲିସ୍ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା । ମାତ୍ର ଦୁଇଦିନ ମଧ୍ୟରେ ପୋଲିସ୍ ଏହି ଘଟଣାର ପର୍ଦ୍ଦା ଫାସ୍ କରିବାରେ ସଫଳତା ହାସଲ କରିଥିଲା । ଉଭୟ କ୍ରିଷ୍ଣା ଏବଂ ଗଣେଶକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାଶ ସୂଚନା ଦେଇଛନ୍ତି ।






