କଟକ, (ବାଘୁଆବାର୍ତ୍ତା): ଏକ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଶନିବାର ରାତିରେ ଲାଲ୍ବାଗ ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ସାହିରେ ରକ୍ତାକ୍ତ ସଂଘର୍ଷ ହୋଇଛି । ରକ୍ତ ସମ୍ପର୍କର ମାମୁଁ ଓ ଭଜଣା ପରିବାର ମଧ୍ୟରେ ଗଣ୍ଡଗୋଳ ହେବାରୁ ତିନି ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ୫ ଜଣଙ୍କୁ ପୁଲିସ ଅଟକ ରଖିଛି । ସିଦ୍ଧେଶ୍ୱର ସାହିରେ ରହୁଥିବା ଦୁଇ ଜଣ ବ୍ୟକ୍ତି ସମ୍ପର୍କରେ ମାମୁଁ-ଭଣଜା । ସେମାନଙ୍କର ପୈତୃକ ସମ୍ପତ୍ତି ପାଇଁ ଗଲା କିଛି ଦିନ ହେବ ମନାନ୍ତର ଓ ବିବାଦ ଲାଗି ରହିଛି । ଏହି କାରଣକୁ ନେଇ ଗତକାଲି ଉଭୟ ପରିବାର ମଧ୍ୟରେ ଜୋରଦାର ପାଟିତୁଣ୍ଡ ହୋଇଥିଲା । ଆଉ ଏହି ପାଟିତୁଣ୍ଡ କ୍ରମଶଃ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଥିଲା । ମାମୁଁ ଘର ପକ୍ଷରୁ ଏକାଧିକ ବ୍ୟକ୍ତି ସଂଘବଦ୍ଧ ଭାବେ ଭଜଣା ଘର ପକ୍ଷ ଉପରେ ଆକ୍ରମଣ କରିଥିଲେ । ଏଥିରେ ଭଣାଜଘର ପକ୍ଷର ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ଗଣ୍ଡଗୋଳ ଏମତି ହୋଇଥିଲାଯେ, ସିଦେ୍ଧଶ୍ୱର ସାହିର ମୁଖ୍ୟରାସ୍ତା ରକ୍ତରେ ଭିଜିଥିଲା । ସେହିପରି ଏହି ଗଣ୍ଡଗୋଳରେ ମାମୁଁଘର ପକ୍ଷର ଜଣେ ଆହତ ହୋଇଛନ୍ତି । ଖବର ପାଇ ଲାଲ୍ବାଗ ଥାନା ପୁଲିସ ପହଞ୍ଚି ଆହତଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲା । ଅନ୍ୟପଟେ ମାମୁଁଘର ପକ୍ଷର ପ୍ରାୟ ୫ ଜଣଙ୍କୁ ପୁଲିସ ଧରିନେଇ ଥାନାରେ ଅଟକ ରଖିଛି । ଘଟଣା ନେଇ ପୁଲିସ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ରବିନାରାୟଣ ଭଞ୍ଜ ସୂଚନା ଦେଇଛନ୍ତି ।






