ଝାରସୁଗୁଡା, (ବାଘୁଆବାର୍ତ୍ତା): ଜାଲ ଶିକ୍ଷାଗତ ଯୋଗ୍ୟତା ରଖି ନକଲି ସାର୍ଟିଫିକେଟ ଦେଇଥିବା ଦୁଇ ପ୍ରାଥମିକ ସ୍କୁଲ ଶିକ୍ଷୟତ୍ରୀ ଏବେ ଅଡୁଆରେ। ଦୁଇ ଶିକ୍ଷୟତ୍ରୀଙ୍କ ନାମରେ ଲଇକେରା ଥାନାରେ ଏତଲା ଦେଇଛି ଜିଲ୍ଲା ଶିକ୍ଷା ବିଭାଗ । ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ତପଗୁଞ୍ଜା ୟୁପି ସ୍କୁଲର ଶିକ୍ଷୟତ୍ରୀ ପ୍ରତିଭା ମଞ୍ଜରୀ ନାଏକ ଚାକିରୀ କରିବା ସମୟରେ ଜମା କରିଥିବା ବି ଇ ଡି ସାର୍ଟିଫିକେଟ ନକଲି ବୋଲି ଜଣାପଡିଥିଲା ବେଳେ କାଙ୍କମାଲ ୟୁ ପି ସ୍କୁଲର ଶିକ୍ଷୟତ୍ରୀ ସୁମିତ୍ରା ଦେହେରିଆ ଦେଇଥିବା ବିଏସସି ସାର୍ଟିଫିକେଟ ନକଲି ବୋଲି ଜଣାପଡିଛି । ନକଲି ସାର୍ଟିଫିକେଟ୍ଧାରୀଙ୍କୁ ସରକାରୀ ସ୍କୁଲରେ ନିଯୁକ୍ତିକୁ ନେଇ ହାଇକୋର୍ଟରେ ରୁଜୁ ଏକ ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କୁ ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ଶିକ୍ଷକଙ୍କ ସାର୍ଟିଫିକେଟକୁ ଯାଞ୍ଚ ସାରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଝାରସୁଗୁଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟରୁ ଜିଲ୍ଲାରେ କର୍ତ୍ତବ୍ୟରତ ୭ ହଜାର ଶିକ୍ଷକଙ୍କ ସାର୍ଟିଫିକେଟର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ବୋର୍ଡ ଓ ବିଶ୍ୱବିଦ୍ୟାଲୟରୁ ଯାଞ୍ଚ ହୋଇ ଆସିଥିବା ସାର୍ଟିଫିକେଟ ମଧ୍ୟରୁ ଦୁଇ ଜଣଙ୍କ ନକଲି ସାର୍ଟିଫିକେଟ ଥିବା ଜଣାପଡିବା ପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସଂପ୍ରୁକ୍ତ ଦୁଇ ଶିକ୍ଷୟତ୍ରୀଙ୍କ ଦରମା ବନ୍ଦ କରାଯିବା ସହ ସେମାନଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ଲଇକେରା ଥାନା ପକ୍ଷରୁ ଏହି ଘଟଣାର ତର୍ଜମା ପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିବା ବେଳେ ଆଗକୁ ଆଉ ଅଧିକ ନକଲି ସାର୍ଟିଫିକେଟ ଧାରୀଙ୍କ ତଥ୍ୟ ମିଳିଲେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।






