ଟୋକିଓ, (ବାଘୁଆବାର୍ତ୍ତା): ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ଦମଦାର ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର ଭାରତ ପାଇଁ ରୌପ୍ୟ ପଦକ ଆଣିଛନ୍ତି ହାଇ ଜମ୍ପର ପ୍ରବୀଣ କୁମାର। ପ୍ରବୀଣ ଟି-୬୪ ବର୍ଗରେ ୨.୦୭ ମିଟର୍ ଜମ୍ପ ମାରି ରୌପ୍ୟ ପଦକ ନିଜ ନାଁରେ କରିଛନ୍ତି। ସେ ମଧ୍ୟ ଏହି ଜମ୍ପ ସହ ଏସୀୟ ରେକର୍ଡ ସ୍ଥାପନ କରିଛନ୍ତି। ଏଥିସହ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୧ରେ ପହଞ୍ଚି ଯାଇଛି। ପ୍ରବୀଣ ଆରମ୍ଭରୁ ହିଁ ନିଜ ପ୍ରଦର୍ଶନ ଦ୍ୱାରା ପଦକ ଜିତିବା ପାଇଁ ଦୃଢ଼ ଦାବିଦାର ହୋଇଥିଲେ। ଏହି ଇଭେଣ୍ଟରେ ଗ୍ରେଟ୍ ବ୍ରିଟେନର ଜୋନାଥନ ବ୍ରୁମ୍-ଏଡୱାର୍ଡ୍ସ ୨.୧୦ ମିଟର୍ ସହ ସ୍ୱର୍ଣ୍ଣ ଓ ପୋଲାଣ୍ଡର ଲେପିଆଟୋ ୨.୦୪ ମିଟର୍ ଜମ୍ପ ମାରି ବ୍ରୋଞ୍ଜ ପଦକ ହାତେଇଛନ୍ତି। ୧୮ ବର୍ଷୀୟ ପ୍ରବୀଣ ନିଜର ପ୍ରଥମ ଜମ୍ପରେ ୧.୮୮ ମିଟରକୁ କ୍ଲିୟର କରିନେଇଥିଲେ। ଏହା ପରେ ସେ ୧.୯୮ ମିଟରକୁ ପ୍ରଥମ ପ୍ରୟାସରେ ଅତିକ୍ରମ କରିଥିଲେ। ଏଥିସହ ସେ ଦେଶ ପାଇଁ ପଦକ ନିଶ୍ଚିତ କରିଥିଲେ। ସେ ଦୁଇଟି ପ୍ରୟାସରେ ୨.୦୧ ମିଟର୍ ଜମ୍ପକୁ କ୍ଲିୟର କରିଥିବା ବେଳେ ୨.୦୪ ମିଟରକୁ ପ୍ରଥମ ପ୍ରୟାସରେ ପାସ୍ କରିଦେଇଥିଲେ। ହେଲେ ସେ ୨.୦୭ ମିଟରକୁ ପ୍ରଥମ ପ୍ରୟାସରେ ପାସ୍ କରିପାରିନଥିବା ବେଳେ ଦ୍ୱିତୀୟ ପ୍ରୟାସରେ ଏହାକୁ କ୍ଲିୟର କରିନେଇଥିଲେ। ପ୍ରବୀଣ ୨.୧୦ ମିଟରକୁ ତିନୋଟି ଯାକ ପ୍ରୟାସରେ ପାସ୍ କରିପାରିନଥିଲେ। ଯେଉଁ କାରଣରୁ ସେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ।






