କାବୁଲ, (ବାଘୁଆବାର୍ତ୍ତା): ଗୁରୁବାର କାବୁଲରେ ISIS-Kର ଆତ୍ମଘାତୀ ବିସ୍ଫୋରଣରେ ନିହତ ହୋଇଥିବା ସମସ୍ତ ୧୩ ଆମେରିକୀୟ ସୈନିକଙ୍କୁ ଚିହ୍ନଟ କରାଯାଇଛି । ତେବେ ଏଇ ସୈନ୍ୟଙ୍କ ମଧ୍ୟରେ ମହିଳା ସୈନ୍ୟ ମରୀମ ସାମିଲ ଥିଲେ । ଯାହାଙ୍କର କାବୁଲ ବିସ୍ଫୋରଣରେ ଚାଲିଯାଇଛି ଜୀବନ । ତେବେ ମୃତ୍ୟୁ ପୂର୍ବରୁ, ନିକୋଲ ଜୀଙ୍କର ଏର ଫଟୋ ଭାଇରାଲ ହୋଇଥିଲା । ଯାହାକି ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା ସାଉଁଟିଥିଲା । ଏହି ଚିତ୍ର ଅନେକ ହେଡଲାଇନ ବି ସୃଷ୍ଟି କରିଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ସେ ନିଜ କୋଳରେ ଆଫଗାନିସ୍ତାନ ନିରୀହ ପିଲାଙ୍କୁ ଧରିଛନ୍ତି । ମାଆ ନହୋଇ ବି ମାଆ ପରି ସ୍ନେହ ଦେଉଥିବାର ଦେଖିବାକୁ ମିଳିଥିଲା । ତାଲିବାନୀଙ୍କ ଆଫଗାନିସ୍ତାନ ଦଖଲ ପରେ ଏହି ଚିତ୍ର ସମସ୍ତଙ୍କୁ ମାନସ ପଟରେ ଛାଇଯାଇଥିଲା । ହେଲେ ଦୁଃଖ ଏବଂ ପରିତାପର ବିଷୟ, ଏହି ଆଫଗାନିସ୍ତାନ ପିଲାଙ୍କ ମାଆ ବନିଥିବା ଏହି ମରୀମ ଏବେ ଆଉ ନାହାଁନ୍ତି । କାବୁଲ ବିସ୍ଫୋରଣରେ ସହିଦ ହୋଇଥିବା ଆମେରିକୀୟ ସୈନିକଙ୍କ ମଧ୍ୟରେ ମରୀମ ରହିଥିଲେ । କାବୁଲ ବିମାନବନ୍ଦରରେ ଆତ୍ମଘାତୀ ଆକ୍ରମଣରେ ଆମେରିକାର ନୌସେନା କର୍ପସମ୍ୟାନ୍ ମ୍ୟାକ୍ସ ସୋୱିଆକ୍, ଆର୍ମି ଷ୍ଟାଫ୍ ସର୍ଜେଣ୍ଟ୍ ରିଆନ୍ କନାଉସ୍, ମେରାଇନ୍ ହଣ୍ଟର୍ ଲୋପେଜ୍, ରେଲି ମ୍ୟାକକଲମ୍, ଡେଭିଡ ଲି ଏସପିନୋଜା, କରିମ୍ ନିକୋ, ଜାରେଡ୍ ସ୍ମିଥ୍, ଡେଗାନ୍ ପେଜ୍, ଟେଲର ହୁଭର, ହମ୍ବର୍ଟୋ ସାଞ୍ଚେଜ, ଜୋହାନି ରୋଜାରିଓ, ଡିଲିନ୍ ମେରୋଲା ଏବଂ ନିକୋଲ ଜି ସମସ୍ତେ ନିହତ ହୋଇଛନ୍ତି । ତାଲିବାନ ଆଫଗାନିସ୍ତାନରେ କ୍ଷମତାକୁ ନିୟନ୍ତ୍ରଣ କରୁଥିବାରୁ କାବୁଲ ବିମାନବନ୍ଦରରେ ଆତଙ୍କ ଖେଳିଯାଇଥିଲା । ସମସ୍ତେ ଯଥାଶୀଘ୍ର କାବୁଲ ଛାଡିବାକୁ ଚାହୁଁଥିଲେ । ଏହି ପରିସ୍ଥିତିରେ, ବିମାନବନ୍ଦର ସୁରକ୍ଷା ଯାଞ୍ଚ ପଏଣ୍ଟରେ ରହିଥିଲେ ନିକୋଲ ଜି । ତେବେ ତାଙ୍କୁ ସହ୍ୟ ହୋଇନଥିଲା ବିମାନବନ୍ଦରରେ କଷ୍ଟ ପାଉଥିବା କୁନି ପିଲାଙ୍କ ଦୁଃଖ । ସେ ଏକ କୁନି ଛୁଆକୁ କୋଳରେ ଧରି ଗେଲ କରିବା ସହ ମାଆର ମମତା ବି ଦେଇଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଗୁରୁବାର ହୋଇଥିବା ବିସ୍ଫୋରଣରେ ନିହତ ସୈନିକଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ଦିଆଯାଇଛି । ନିକୋଲଜୀ ସିନା ନାହାଁନ୍ତି କିନ୍ତୁ ଛାଡିଯାଇଛନ୍ତି ଛାପ । ଆଉ ତାଙ୍କୁ ହରାଇବା ପରେ ଦେଶବାସୀ ଝୁରୁଛନ୍ତି ସତ । କିଛି ଆଫଗାନୀ ବି ଝୁରୁଛନ୍ତି । ଆଉ କୁନି ପିଲା ବି ଖୋଜୁଛନ୍ତି ସେଇ କୋଳ ସେଇ ପରଶ ।





