ଭୁବନେଶ୍ୱର, (ବାଘୁଆବାର୍ତ୍ତା): ୟୁଜିସି ମାନ୍ୟତା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ । ୟୁଜିସି ଅଧିନିୟମ-୧୯୫୬, ଧାରା ୨ (ଏଫ୍) ଅନୁଯାୟୀ, ୟୁନିଭର୍ସିଟି ଗ୍ରାଣ୍ଟ କମିଶନ ବିଶ୍ୱବିଦ୍ୟାଳୟର ମାନ୍ୟତା ସେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି । ଏନେଇ ୟୁଜିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ଜନଜାତି ବହୁଳ କଳାହାଣ୍ଡି ଜିଲ୍ଲା ସମେତ ଆଖପାଖ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବ । ପ୍ରଧାନମନ୍ତ୍ରୀଙ୍କ ଜାତୀୟ ଶିକ୍ଷା ନୀତି ଜରିଆରେ ଏହି ବିଶ୍ୱବିଦ୍ୟାଳୟ ଜରିଆରେ ଗୁଣାତ୍ମକ ଶିକ୍ଷା ଉପଲବ୍ଧ କରାଯିବ । କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆବଶ୍ୟକ ତଥ୍ୟ ପ୍ରଦାନ କଲେ ୟୁଜିସି ଅଧିନିୟମ ୧୯୫୬ ଧାରା ୧୨ (ବି) ଅନୁଯାୟୀ, ଖୁବଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ ବୋଲି ଟ୍ୱିଟ୍ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଭବାନୀପାଟଣା ସ୍ଥିତ ସରକାରୀ ସ୍ୱୟଂଶାସିତ କଲେକକୁ ଉନ୍ନୀତ କରାଯାଇ ୨୦୧୯ ଜୁନ୍ ପହିଲାରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଭାବେ କାର୍ୟ୍ୟକ୍ଷମ କରାଯାଇଛି । ଏବେ ୟୁଜିସି ମାନ୍ୟତା ମିଳିବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ ହୋଇଥିବାରୁ ଭିତ୍ତିଭୂମି ବିକାଶ ସହ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ସହାୟକ ହେବ ।






