କାବୁଲ, (ବାଘୁଆବାର୍ତ୍ତା): ବିମାନବନ୍ଦରରେ ପ୍ରବଳ ଭିଡ। ବିମାନରେ ବସିବାକୁ ହେଉଛି ମାରପିଟ୍। ଜଣକ ଉପରେ ଜଣେ ଚଢ଼ି ଯାଉଛନ୍ତି। ବାଡବନ୍ଧ କିଛି ମାନୁନାହାନ୍ତି ଲୋକେ। କେବଳ ଗୋଟିଏ ଲକ୍ଷ୍ୟ ବିମାନରେ ବସିବେ, ଆଉ ଦେଶ ଛାଡି ଚାଲିଯିବେ। ଏଥିପାଇଁ ହୋଇଛି ଠେଲାପେଲା। ଏପରିକି ବିମାନ ଉପରେ ବି ଲୋକେ ଚଢ଼ି ଯାଉଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କାବୁଲ ବିମାନ ବନ୍ଦରରେ। କାବୁଲକୁ ତାଲିବାନ କବ୍ଜା କରିବା ପରେ ସେଠାକାର ସ୍ଥିତି ଭୟାବହ ରହିଛି। ଲୋକେ ନିଜକୁ ସୁରକ୍ଷିତ କରିବାକୁ ଯାଇ ଦେଶ ଛାଡି ପଳାଇଯାଉଛନ୍ତି। ଏଥିପାଇଁ ବିମାନବନ୍ଦରରେ ଦେଖିବାକୁ ମିଳିଛି ଜନସମୁଦ୍ର। ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ, ବିମାନ ବନ୍ଦରରେ ପାଦ ରଖିବାକୁ ମଧ୍ୟ ସ୍ଥାନ ନାହିଁ। ଯାହାର ଏକ ଏଭିଡିଓ ସାମ୍ନାକୁ ଆସିବା ପରେ ଏବେ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ବିମାନକୁ ହଜାରରୁ ଅଧିକ ଲୋକ ଘେରି ରହିଛନ୍ତି। ବିମାନ କ୍ୟାବିନ ଭିତରକୁ ପଶିବା ପାଇଁ ଯେଉଁ ସିଡିର ବ୍ୟବହାର କରାଯାଏ ତାହା ଉପରେ ଲୋକେ ଚଢ଼ି ଠେଳାପେଲା ହେଉଛନ୍ତି। ଏହି ଦୃଶ୍ୟ ଦେଖିଲେ ଲାଗୁଛି ଯେପରି ଏହା କୌଣସି ବିମାନ ବନ୍ଦର ନୁହେଁ, ଏହା ଏକ ବସ୍ଷ୍ଟାଣ୍ଡ ଭଳି ମନେ ହେଉଛି। ଆଜି ସକାଳୁ କାବୁଲ ବିମାନ ବନ୍ଦରରେ ଏଭଳି ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ଆମେରିକା ସେନା ଫାଙ୍କା ଗୁଳିମାଡ କରିଥିଲା। ସୂଚନା ମୁତାବକ ପ୍ରାୟ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇଛି ତାଲିବାନ। ତେଣୁ ଆଫଗାନିସ୍ତାନର ଜନସାଧାରଣ ଅତ୍ୟଧିକ ଭୟଭୀତ ହୋଇଛପଡିଛନ୍ତି। ଯେଣତେଣ କରି ସେଠାରୁ ନିଜକୁ ରକ୍ଷା କରି ଦେଶ ଛାଡି ପଳାଇବାକୁ ଚାହୁଁଛନ୍ତି।






