ବାରିପଦା, (ବାଘୁଆବାର୍ତ୍ତା): ଅଲମ୍ପିକ୍ ହେଉ କିମ୍ବା ଫୁଟବଲ ଅବା କ୍ରିକେଟ ସବୁଥିରେ ନାରୀ ଆଜି ଆଗୁଆ । ଆଉ ଏହାକୁ ପ୍ରମାଣିତ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାର ୪ ଜଣ ଝିଅ। ମୟୂଭଞ୍ଜର ଜିଲ୍ଲା ପାଇଁ ଏବେ ଗୌରବର ବିଷୟ । ଏମାନେ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଚମ୍ପାଝରଠାରେ ଥିବା ଫିୟୁଚର ଷ୍ଟାର ସ୍ପୋର୍ଟସ୍ ଏକାଡେମୀରୁ ଆରତୀ ମୁର୍ମୁ, ସାରଥି ହାଁସଦା, ପୁଲକ ମଞ୍ଜରୀ ମହାନ୍ତ ଓ ପାର୍ବତୀ ହାଁସଦା । ଏହି ୪ଜଣଙ୍କୁ ଆସନ୍ତା ସେପ୍ଟେମ୍ବର ମାସରେ ଉଜବେକିସ୍ଥାନରେ ହେବାକୁ ଯାଉଥିବା ୧୮ବର୍ଷରୁ କମ୍ ବାଳିକା ବିଭାଗର ରଗବୀ ଚମ୍ପିୟାନସିପ୍ ୨୦୨୧ ପାଇଁ ଭାରତରୁ ୫୪ ଜଣିଆ ଦଳକୁ ଚୟନ କରାଯାଇଛି । ଆଉ ଏହି ୫୪ଜଣିଆ ଦଳରେ ଓଡିଶାରୁ ୧୨ଜଣ ବାଳିକା ସ୍ଥାନ ପାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରୁ ୪ଜଣ ବାଳିକାଙ୍କୁ ସ୍ଥାନ ମିଳିଛି । ଆଉ ଏନେଇ ଆସନ୍ତା ୧୪ ଅଗଷ୍ଟଠାରୁ ୧୬ସେପ୍ଟେମ୍ବର ପର୍ୟ୍ୟନ୍ତ ଇଣ୍ଡିଆନ ରଗବୀ ଫୁଟବଲ ୟୁନିୟନ ତରଫରୁ ଭୁବନେଶ୍ବର ସ୍ଥିତ କିଟ୍ କ୍ୟାମ୍ପସଠାରେ ଏମାନଙ୍କୁ ଦିଆଯିବ ସ୍ବତନ୍ତ୍ର ଟ୍ରେନିଂ। ଏଠାରୁ ୧୨ଜଣ ମନୋନୀତ ଖେଳାଳିଙ୍କୁ ୧୮ ଓ ୧୯ ସେପ୍ଟେମ୍ବରରେ ଉଜବେକିସ୍ଥାନର ତାସକେଣ୍ଟଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ ରଗବୀ ଚମ୍ପିଅନସିପ୍ ୨୦୨୧ରେ ସିଧାସଳଖ ଭାଗନେବେ। ପୂର୍ବରୁ ପ୍ରଶିକ୍ଷଣ ନେଉଥିବା ବେଳେ କରୋନା ପ୍ରଭାବରେ ଟ୍ରେନିଂ କିଛିଦିନ ହେଲା ବନ୍ଦ ରହିଥିଲା ହେଲେ ଏମାନଙ୍କ ମନୋବଳକୁ ଭାଙ୍ଗି ନଥିଲା । ଏକ ମାସ ହେବ ଚମ୍ପାଝରଠାରେ କ୍ୟାମ୍ପରେ ରହି ଟ୍ରେନିଂ ଏବଂ ଫିଟନେସ୍ ଉପରେ କୋଚିଂ ନେଉଥିଲେ । ତେବେ ନିଜର ଦୃଢ଼ ବିଶ୍ବାସ ଓ ଇଚ୍ଛାଶକ୍ତି ବଳରେ ଏମାନଙ୍କ ଖେଳ ବେଶ୍ ଭଲ ହୋଇଥିଲା । ତେଣୁ ଭାରତ ପାଇଁ ନିଶ୍ଚିତ ମନୋନୀତ ହେବେ ବୋଲି ଆଶା ବାନ୍ଧିଛନ୍ତି ଏହି ଖେଳାଳି ଓ ତାଙ୍କ ପ୍ରଶିକ୍ଷକ । ଏହାସହ ତାଙ୍କୁ ଉତ୍ସାହିତ କରିବା ପାଇଁ ରାଣିଭୋଳ ସ୍କୁଲ ପ୍ରଧାନ ଶିକ୍ଷକ ଏହି ଖେଳଳିମାନଙ୍କୁ ସମ୍ବର୍ଦ୍ଧିତ କରି ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ରଗବୀ ଖେଳ ଆମ ଦେଶର ଜାତୀୟ ଖେଳ ହୋଇନଥିଲେ ମଧ୍ୟ ଆମ ଦେଶରେ ଏହାର ଅନେକ ଲୋକପ୍ରିୟତା ଅଛି। ତେଣୁ ମୟୂରଭଞ୍ଜ ଭଳି ପଛୁଆ ଜିଲ୍ଲାରୁ ଭାଗ ନେଇଥିବା ଏହି ୪ଜଣ ବାଳିକା ଖେଳାଳିଙ୍କୁ ନେଇ ବେଶ୍ ଆଶାବାଦୀ ଅଛନ୍ତି ମୟୂରଭଞ୍ଜ ବାସୀ ।






