ଘଟଗାଁ, (ବାଘୁଆବାର୍ତ୍ତା): ମୋବାଇଲ୍ ପାଇଁ ଯୁବକଙ୍କୁ ପିଟିପିଟି ହତ୍ୟା। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କମଳାବାହାଳୀ ଗ୍ରାମରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି। ମୋବାଇଲ୍ ପାଇଁ ଜଣେ ଅଜଣା ଯୁବକଙ୍କୁ ୫ ଜଣ ଅଭିଯୁକ୍ତ ପିଟିପିଟି ହତ୍ୟା କରିଛନ୍ତି। ଏହି ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ମିଳିଥିବା ଖବର ଅନୁଯାୟୀ, ଗତ ୩ ତାରିଖ ଦିନ ଦୁଇଜଣ ଅଜଣା ବ୍ୟକ୍ତି କମଳାବାହାଳୀ ଗ୍ରାମର ସନାତନ ନାଏକଙ୍କ ଘରେ କୌଣସି ପରିଚୟ ଦେଇ ରହିଥିଲେ । ପରେ ସନାତନ ଓ ଉକ୍ତ ଅଜଣା ବ୍ୟକ୍ତିଙ୍କ ସାଙ୍ଗରେ ରାତି ୯ଟା ସମୟରେ ତାଳଡିହି ଛକକୁ ବୁଲିବାକୁ ଯାଇଥିଲେ । ସେଠାରୁ ଘରକୁ ଫେରିବା ସମୟରେ ଅଧା ରାସ୍ତାରେ ଅଜଣା ବ୍ୟକ୍ତି ଜଣଙ୍କ ସନାତନକୁ ମୋବାଇଲ ମାଗିଥିଲେ, ଟର୍ଚ୍ଚ ଜଳାଇ ସୌଚ୍ଚ କରିବାକୁ ଯାଇଥିଲେ । ସନାତନ ଉକ୍ତ ବ୍ୟକ୍ତିକୁ ନିଜ ମୋବାଇଲ ଦେଇଥିଲେ, କିନ୍ତୁ ସୌଚ୍ଚ କରିବାକୁ ଯାଇ ବ୍ୟକ୍ତି ଜଣଙ୍କ ନ ଫେରିବାରୁ ଅନେକ ଖୋଜାଖୋଜି ପରେ ରାଗିଯାଇ ଘରକୁ ଫେରି ଆସି ଅନ୍ୟ ଅଜଣା ବ୍ୟକ୍ତିଙ୍କୁ ଫେରିନଥିବା ବ୍ୟକ୍ତିର ପରିଚୟ ପଚାରିବା ସହ ଝଗଡ଼ା କରିଥିଲେ । ଉକ୍ତ ବ୍ୟକ୍ତି ପରିଚୟ ନଦେବାରୁ ସନାତନ ଚୋର ଭାବି ରାଗିଯାଇ ଗ୍ରାମର ବିରୁ ବିରୁଆ, ବଗ ମୁଣ୍ଡା, ରବି ହନାଗା ଓ ଶିବାନୀ ମୁଣ୍ଡାଙ୍କୁ ଡାକି ଉକ୍ତ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଥିଲେ । ମୃତ୍ୟୁ ଘଟିବା ପରେ ମୃତଦେହକୁ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଥିବା ନାଳ ଭିତରେ ପଥର ଚାପି ରଖିଥିଲେ । ମୃତଦେହଟି ନାଳ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଦୁର୍ଗନ୍ଧ ହେବାରୁ ଗାଁ ଲୋକେ ମୃତଦେହଟି ପାଣି ଭିତରେ ଚପାଯାଇଥିବା ଦେଖିବାକୁ ପାଇଥିଲେ। ପରେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଗତକାଲି ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପକ୍ଷରେ ହରିଚନ୍ଦନପୁର୍ ପୋଲିସ୍ ଏକ ମାମଲା ରୁଜୁ କରି କେଶ୍ ନମ୍ବର ୯୮ ଅନୁଯାୟୀ ଉକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ୍ କରିବା ସହିତ ଆଜି କୋର୍ଟ ଚାଲାଣ କରିଛି ।





