ଭଦ୍ରକ, (ବାଘୁଆବାର୍ତ୍ତା): ସୁନା ଚେନ୍ ଝାମ୍ପି ଚମ୍ପଟ ମାରିବା ବେଳେ ଲୁଟେରାଙ୍କୁ କାବୁ କରି ବହେ ଛେଚିଲେ ସ୍ଥାନୀୟ ଲୋକେ। ଭଦ୍ରକ ଜିଲ୍ଲା ମେଡିକାଲ ଛକରେ ଏଭଳି ଘଟଣା ଘଟିଛି। ଏକ ଦୋକାନରେ ଜଣେ ମହିଳା ଥଣ୍ଡା ପାନୀୟ ପିଉଥିବା ବେଳେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଅନ୍ୟ ୨ ଜଣ ଯୁବକ ତାଙ୍କ ଠାରୁ ସୁନା ଚେନ୍ ଝାମ୍ପି ନେଇ ଫେରାର ହେବା ବେଳେ ସ୍ଥାନୀୟ ଲୋକେ କାବୁ କରିଛନ୍ତି। ବାଲେଶ୍ଵର ଜିଲ୍ଲା ଖୀରକୋଣା ଗ୍ରାମର ନରେନ୍ଦ୍ର ଦାସ ଓ ତାଙ୍କ ସ୍ତ୍ରୀ ଶାସ୍ଵତୀ ଦାସ ଭଦ୍ରକ କୌଣସି କାମରେ ଆସିଥିଲେ। ସେମାନେ ମେଡିକାଲ ଛକରେ ଏକ ଦୋକାନରେ ଥଣ୍ଡା ପାନୀୟ ପିଉଥିବା ବେଳେ ଅନ୍ୟ ୨ ଜଣ ଯୁବକ ଆସି ଦୋକାନରେ ଥଣ୍ଡା ପିଇଥିଲେ। ଏହି ସମୟରେ ମହିଳା ଜଣଙ୍କ ବୋତଲ ଫିଙ୍ଗିବା ବେଳେ ଯୁବକ ଜଣଙ୍କ ତାଙ୍କ ଠାରୁ ସୁନା ଚେନ୍ ଝାମ୍ପି ନେଇ ସେଠାରୁ ଚମ୍ପଟ ମାରୁଥିଲେ। ଏତିକି ବେଳେ ମହିଳା ଜଣଙ୍କ ପାଟି କରିବାରୁ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ୨ ଲୁଟେରାଙ୍କୁ କାବୁ କରିଥିଲେ। ତେବେ ଲୁଟେରା ୨ ଜଣଙ୍କୁ କାବୁ କରିବା ବେଳେ ସେମାନେ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ। ହେଲେ ସ୍ଥାନୀୟ ଲୋକେ ସୁଯୋଗ ଦେଖି ଦୁଇ ଜଣ ଚୋରଙ୍କୁ ମାଡ଼ି ବସିଥିଲେ। ଖବର ପାଇ ଭଦ୍ରକ ଟାଉନ ଥାନା ପୋଲିସ ୨ ଲୁଟେରାଙ୍କୁ ଗିରଫ କରିଛି। ଉକ୍ତ ଯୁବକଙ୍କ ଠାରୁ ସୁନା ଚେନ୍ ସହ ଏକ ବାଇକ୍ ଜବତ ହୋଇଛି।





