ଉଦଳା, (ବାଘୁଆବାର୍ତ୍ତା): ବିପୁଳ ପରିମାଣର ମୂଲ୍ୟବାନ କାଠ ସହିତ ଟ୍ରକ୍ ଜବତ । ଖସିଗଲେ ୫ ଚୋରା ଚାଲାଣକାରୀ । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଲା ଅଞ୍ଚଳରେ । ବିଶେଷସୂତ୍ରରୁ ଖବର ପାଇ ଉଦଳା ବନବିଭାଗ ଶୁକ୍ରବାର ଭୋର ସମୟରେ ବନାଞ୍ଚଳ ଅଧିନ ମାର୍ଶିଙ୍ଗା-ଦାମୋଦରପୁର ରାସ୍ତାରେ ଚଢଉ କରିଥିଲା । ଏତିକି ବେଳେ ବେଆଇନ ଭାବେ ଚୋରା କାଠ ନେଇ ବାଲେଶ୍ବର ଚାଲାଣ ହେଉଥିବା ଏକ ୪୦୭ ଟ୍ରକକୁ ପୋଲିସ ଓ ବନ ବିଭାଗ ଜବତ କରିଥିଲା । ବନବିଭାଗ କର୍ମଚାରୀଙ୍କୁ ଦେଖି ଗାଡି ଡ୍ରାଇଭର ସମେତ ଥିବା ୫ ଜଣ ଚୋରା ଚାଲାଣକାରୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ କେବଳ ଟ୍ରକ୍ ଏବଂ କାଠ ଜବତ କରିପାରିଥିଲା ବନ ବିଭାଗ। ଜବତ କାଠ ମଧ୍ୟରେ ୨୩ ଗୋଟି କାଠର ଲଗ୍ ରହିଥିବା ବେଳେ ସେଗୁଡିକ ଗମ୍ଭାରୀ ଏବଂ ନିମ୍ବ ପ୍ରଜାତିର ବୋଲି ଜଣାଯାଇଛି । ଜବତ ଟ୍ରକ୍ ଏବଂ କାଠକୁ ବନବିଭାଗ କାର୍ୟ୍ୟାଳୟକୁ ଆଣିଥିବା ବେଳେ ଅଭିଯୁକ୍ତମାନେ ବନବିଭାଗକୁ ଚକମା ଦେଇ ଖସିଯାଇଛନ୍ତି । ଜବତ କାଠର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।





