ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଗାଁ ଗାଁରେ ଏବେ ନେତାଙ୍କ ଆସର । ଦଳର ଛାମୁଆ ସଂଗଠନର କର୍ମକର୍ତ୍ତା ଗାଁ ଗସ୍ତ କରୁଛନ୍ତି । ପ୍ରମୁଖ ଲୋକଙ୍କ ସହ ସଂପର୍କ ଯୋଡ଼ୁଛନ୍ତି । ଲକ୍ଷ୍ୟ ଗୋଟିଏ, ପଞ୍ଚାୟତ ଭୋଟ । ଆସନ୍ତା ପଞ୍ଚାୟତ ଭୋଟ ପାଇଁ ପାଗ ଭିଡ଼ିଲେଣି ଶାସକ ବିଜେଡି ସହ ବିରୋଧୀ ବିଜେପି ଓ କଂଗ୍ରେସ । ସଂଗଠନକୁ ବଳୁଆ କରିବାକୁ ବସୁଛି ଘନ ଘନ ବୈଠକ । ସ୍ଥାନୀୟ ସମସ୍ୟାକୁ ନେଇ ସବୁଆଡ଼େ ଆନ୍ଦୋଳନ ଆଉ ବିକ୍ଷୋଭ ଦାନା ଧରିଲାଣି । ଭୋଟରଙ୍କୁ ନିଜ ଆଡ଼କୁ ଭିଡ଼ିବାକୁ ଛକି-ଶୂନ ଖେଳ ଜୋର ଧରିଲାଣି । ତିନି ଦଳର ତାଳୁରୁ ତଳିପା ଯାଏଁ ଭୋଟ ହାତେଇବାକୁ ପାଗ ମଧ୍ୟ ଭିଡ଼ିଲେଣି । ଆସନ୍ତା ଫେବ୍ରୁଆରୀ ସୁଦ୍ଧା ଚଳିତ ପଞ୍ଚାୟତ ପ୍ରତିନିଧିଙ୍କ କାର୍ୟ୍ୟକାଳ ମଧ୍ୟ ପୂରିଯିବ । ତେଣୁ ନିୟମ ଅନୁସାରେ ତା ପୂର୍ବରୁ ନିର୍ବାଚନ ହେବା ଜରୁରୀ। ମାତ୍ର କରୋନାର ତାଣ୍ଡବ ଯୋଗୁଁ କେବେ ଭୋଟ ହେବ କିଛି ଚୂଡ଼ାନ୍ତ ହୋଇନି। ଯଦି ତୃତୀୟ ଲହର ଆକ୍ରାମକ ନହୁଏ ତେବେ ଆସନ୍ତା ଜାନୁଆରୀ କିମ୍ବା ଫେବ୍ରୁଆରୀ ବେଳକୁ ଭୋଟକୁ ଓହ୍ଲାଇପାରନ୍ତି ରାଜ୍ୟ ନିର୍ବାଚନ କମିଶନ । ତେବେ ତା ପୂର୍ବରୁ ତିନି ରାଜନୈତିକ ଦଳ ଆରମ୍ଭ କରିଛନ୍ତି କସରତ । କଳେ ବଳେ କୌଶଳେ ଜିଲ୍ଲା ପରିଷଦ, ପଞ୍ଚାୟତ ଓ ବ୍ଲକ ଦଖଲ କରିବାକୁ ମନ୍ତ୍ରଣା ଆରମ୍ଭ ହୋଇଛି । ୨୦୨୪ ସାଧାରଣ ନିର୍ବାଚନର ଫାଇନାଲ ପୂର୍ବରୁ ଏ ପଞ୍ଚାୟତ ସେମିଫାଇନାଲ ପାଇଁ ପ୍ରସ୍ତୁତି ଜୋର ଧରିଛି । ଭୋଟ ଚବିଶ ପୂର୍ବରୁ ପୌର ସହ ପଞ୍ଚାୟତ ଦଖଲ କରିବାକୁ ବିଜେଡି ପ୍ରସ୍ତୁତ କରିଛି ‘ମାଷ୍ଟରପ୍ଲାନ’ । ୨୦୧୭ ପଞ୍ଚାୟତ ନିର୍ବାଚନରେ ଟାଣୁଆ ମନ୍ତ୍ରୀ ଓ ବିଧାୟକଙ୍କ ଶଙ୍ଖ ଗଡ଼ରେ ବିଜେପି ଧସେଇ ପଶି କିଭଳି ଗେରୁଆ ବାନା ଉଡ଼ାଇଥିଲା ତାହା ବିଜେଡି ମଙ୍ଗୁଆଳ ବୋଧହୁଏ ଭୁଲି ନାହାନ୍ତି । ଗତ ସାଧାରଣ ନିର୍ବାଚନରେ ବିଜେପି ପଶ୍ଚିମ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚରେ ଭଲ ପ୍ରଦର୍ଶନ କରିଛି । ତେଣୁ ବେଳ ଥାଉ ଥାଉ ଭୋଟ ପାଇଁ ପ୍ରସ୍ତୁତିକୁ ତେଜିଛନ୍ତି ବିଜେଡି ସୁପ୍ରିମୋ । ବିଜେପି ବିଜେଡିକୁ କଡ଼ା ଟକ୍କର ଦେବାକୁ ସବୁପ୍ରକାର ପ୍ରସ୍ତୁତି ତେଜିଛି । ତେଣୁ କଳେ ବଳେ କୌଶଳେ ପଞ୍ଚାୟତ ଓ ପୌର ଭୋଟରେ ବିଜେପିକୁ ପଛରେ ଛାଡ଼ିବାକୁ ବିଜେଡି ରଣନୀତି ଆରମ୍ଭ କରିଛି । ଦଳର ବିଧାୟକ ଓ ମନ୍ତ୍ରୀମାନଙ୍କ ସହ ଆଲୋଚନା ଆରମ୍ଭ କରି ନିଜ ଅଞ୍ଚଳରେ ପୂରା ଦମରେ ଭୋଟ ପାଇଁ ପ୍ରସ୍ତୁତ ରହିବାକୁ ମନ୍ତ୍ର ଦେଇଛନ୍ତି ସ୍ୱୟଂ ନବୀନ । ବୁଥ୍ୱାରୀ ସଂଗଠନକୁ ଅଧିକ ବଳୁଆ କରିବା ସହ ଲୋକମାନଙ୍କ ସହ ଯୋଡ଼ି ହେବା ଉପରେ ସେ ଜୋର ଦେଇଛନ୍ତି । ଛାତ୍ର ଜନତା ପକ୍ଷରୁ ୩୫ ସାଂଗଠନିକ ଜିଲ୍ଲାରେ ପର୍ୟ୍ୟବେକ୍ଷକ ନିଯୁକ୍ତି ସହ ବ୍ଲକସ୍ତରୀୟ ବୈଠକ ଚାଲୁ ରହିଛି । ଆସନ୍ତା ୧୦ ଭିତରେ ପଞ୍ଚାୟତ କମିଟି ଗଠନ କରିବା ସହ ସର୍ଭେ କରି ଦଳର ସ୍ଥିତି ସଂପର୍କରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ରିପୋର୍ଟ ଦେବେ । ଏହାପରେ ଦଳ ପକ୍ଷରୁ ନୂଆ ରଣକୌଶଳ ଗ୍ରହଣ କରାଯିବ । ବିଜେପି ମଧ୍ୟ ପଞ୍ଚାୟତ ଭୋଟ ପାଇଁ ପ୍ରସ୍ତୁତିକୁ ତେଜୀୟାନ୍ କରିଛି । ଆଜିଠୁ ଦଳର ଦୁଇଦିନିଆ ପଞ୍ଚାୟତିରାଜ କର୍ମଶାଳା ଆୟୋଜେନ କରାଯାଇଛି । ଦଳ ପ୍ରତି ବୁଥରେ ସଂଗଠନକୁ ବଳୁଆ କରିବାକୁ ଇତିମଧ୍ୟରେ ଦଳୀୟ କର୍ମକର୍ତ୍ତାଙ୍କୁ କୁହାଯାଇଛି ।କେନ୍ଦ୍ରର ମୋଦି ସରକାର ଓଡ଼ିଶାକୁ ଦେଉଥିବା ସାହାଯ୍ୟ ଓ ସହଯୋଗ ସଂପର୍କରେ ଲୋକଙ୍କୁ ଅବଗତ କରାଇବା ସହ ଆଗକୁ ପଦଯାତ୍ରା ଜରିଆରେ ଲୋକଙ୍କ ସହ ଯୋଡ଼ି ହେବାକୁ ଦଳ ସ୍ଥିର କରିଛି । ପଦ୍ମ ଦଳର ଜିଲ୍ଲାସ୍ତରୀୟ ନେତାମାନେ ଏବେ ଗାଁ ଗଣ୍ଡାରେ ସଂଗଠନକୁ ଆକଳନ କରି ରାଜ୍ୟ କମିଟିକୁ ରିପୋର୍ଟ ଦେଇଛନ୍ତି । ଏହି ରିପୋର୍ଟ ଆଧାରରେ ଦଳ ନିଜର ପ୍ରସ୍ତୁତିକୁ ବଳୁଆ କରୁଛି । ୨୦୧୭ରେ ବିଜେପି ଯେଉଁ ଅବିଶ୍ୱସନୀୟ ପ୍ରଦର୍ଶନ କରିଥିଲା ୨୦୨୨ରେ ତାହାର ପୁନରାବୃତ୍ତି କରିବାକୁ ଗୋଟି ଚାଳନା ଆରମ୍ଭ ହୋଇଛି । ଆସନ୍ତା ୧୬ରେ ଦଳର ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁ ଓଡ଼ିଶା ଆସିବେ । ରାଜ୍ୟ ବିଜେପି ଏ ତିନି ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ଆଳରେ ପଞ୍ଚାୟତ ଭୋଟ ପାଇଁ ଜିଲ୍ଲାୱାରୀ ପଦଯାତ୍ରା ଆୟୋଜନ କରିବ ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ଆବାସରେ ଦୁର୍ନୀତି ଓ ରେସନ କାର୍ଡ ଦୁର୍ନୀତିକୁ ଧରି ଦଳ ପଞ୍ଚାୟତ ଭୋଟରେ ବିଜେଡିକୁ ପାନେ ଦେବାକୁ ସ୍ଥିର କରିଛି । କଂଗ୍ରେସ ବି କୌଣସି ପରିସ୍ଥିତିରେ ଆସନ୍ତା ପଞ୍ଚାୟତ ଭୋଟରେ ପଛରେ ପଡ଼ିବାକୁ ଚାହୁଁନି । ଏଥିପାଇଁ ସ୍ୱତନ୍ତ୍ର ଭାବେ ଦଳ କମିଟି ଗଠନ କରିଛି । ଏହି କମିଟି ପ୍ରତି ବ୍ଲକରୁ ଦଳର ସାଂଗଠନିକ ସ୍ଥିତି ସହ ସମ୍ଭାବ୍ୟ ପ୍ରାର୍ଥୀଙ୍କ ସଂପର୍କରେ ଏକ ଚାଟ୍ ପ୍ରସ୍ତୁତ କରିଛି । ଏହାଛଡ଼ା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ଏବଂ ଅପାରଗତାକୁ ଦଳ ଟାର୍ଗେଟ୍ କରି ଲୋକଙ୍କ ପାଖକୁ ଯାଉଛି । ଦଳର ପୁରୁଖା ନେତା ଓ କର୍ମୀମାନେ ନିଜ ଅଞ୍ଚଳରେ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କ ସଂପର୍କରେ ଖୋଳତାଡ଼ କରୁଛନ୍ତି । ଯୁବ, ଛାତ୍ର, ମହିଳା ଓ ସେବା ଦଳକୁ ପୂର୍ଣ୍ଣ ବିନିଯୋଗ କରିବାକୁ ଦଳ କୌଶଳ ପ୍ରସ୍ତୁତ କରିଛି । ଆଗାମୀ ଦିନରେ ପ୍ରତି ଜିଲ୍ଲାରୁ ଛାମୁଆ ନେତାମାନଙ୍କୁ ଡାକି ଦଳ ଏକ ପ୍ରସ୍ତୁତି ବୈଠକ ଡାକିବ ବୋଲି ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ, ୨୦୧୭ ପଞ୍ଚାୟତ ଭୋଟରେ ବିଜେପି ବେଶ୍ ଆଖିଦୃଶିଆ ଫଳ ପ୍ରଦର୍ଶନ କରିଥିଲା । ପ୍ରାୟ ୩ ଶହ ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିଥିଲା ଦଳ । ବିଜେଡିର ହେଭିୱେଟମାନଙ୍କ ଗଡ଼ରେ ଦଳ ଧସେଇ ପଶି ଗେରୁଆ ବାନା ଉଡ଼ାଇଥିଲା । ରାଜ୍ୟରେ କରୋନାର ପ୍ରକୋପ ଜାରି ରହିଥିଲା ବେଳେ ଭୋଟ ପାଇଁ ଆରମ୍ଭ ହୋଇଛି କସରତ । ସରକାର ବି ପଞ୍ଚାୟତୱାରୀ ପ୍ରକଳ୍ପ କାମ ଡିସେମ୍ବର ସୁଦ୍ଧା ତ୍ୱରିତ କରିବାକୁ ଫତୱା ଜାରି କରିଛନ୍ତି ।






