ସୁନ୍ଦରଗଡ଼/ହେମଗିର, (ବାଘୁଆବାର୍ତ୍ତା): ସୁନ୍ଦରଗଡ଼ ଜିଲ୍ଲାରେ ଥିବା ହେମଗିର ବନାଞ୍ଚଳର କନିକା ରେଞ୍ଜର ଗର୍ଜନପାହାଡ଼ ଜପ୍ତି ଜଙ୍ଗଲରେ ପଶୁ ଶିକାରର ଯୋଜନା କରୁଥିବା ୪ ଜଣ ଶିକାରୀଙ୍କୁ କନିକା ବନାଞ୍ଚଳ କର୍ମଚାରୀମାନେ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ମିଳିଥିବା ସୂଚନାନୁସାରେ କନିକା ବନାଞ୍ଚଳରେ ଥିବା ଗର୍ଜନପାହାଡ଼ ଜପ୍ତି ଜଙ୍ଗଲରେ ଦୀର୍ଘ ଦିନ ହେଲା ଶିକାରୀମାନେ ପଶୁ ଶିକାର କରିବା ଲାଗି ଯୋଜନା କରିଥିଲେ । ଆଜି ଶିକାରୀମାନେ ଜଙ୍ଗଲକୁ ଯାଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କନିକା ରେଞ୍ଜର ଦଲଜିତ ଡୁଙ୍ଗଡୁଙ୍ଗଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ପ୍ରଶାନ୍ତ ପଟେଲ, ଗାର୍ଡ କୀର୍ତ୍ତନ ରାମ ଭୋଇଙ୍କ ସମେତ ସଦରବଳ ଘଟଣା ସ୍ଥଳରେ ପହଞ୍ଚି ପଶୁ ଶିକାର କରିବାକୁ ଯୋଜନା କରୁଥିବା ଶିକାରୀଙ୍କୁ ଧରିଥିଲେ। ଫଳରେ ପଶୁ ଶିକାର ଯୋଜନା ପଣ୍ଡ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଭୋଗି କୁଅଁର (୫୦), ସୁକେଶ କୁଅଁର (୩୨), ଧନସିଂ କୁଅଁର (୨୮) ଓ ଚୈତନ୍ୟ କୁଅଁର (୨୫) । ଏମାନଙ୍କ ପାଖରୁ ଟାଙ୍ଗିଆ, ତାରଫାସ ଓ ବାଡ଼ି ଆଦି ସାମଗ୍ରୀ ଜବତ କରାଯାଇଛି।





