କଟକ, (ବାଘୁଆବାର୍ତ୍ତା): ଏସ୍ସିବି କୋଭିଡ୍ ହସ୍ପିଟାଲରେ ପୁଣି ଆଉ ଏକ ଅଘଟଣ ଘଟିଛି । କୋଭିଡ୍ ହସ୍ପିଟାଲର ୪ ମହଲରୁ ଜଣେ କରୋନା ଆକ୍ରାନ୍ତ ରୋଗୀ ତଳକୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ଡାକ୍ତରଖାନାରେ ଆଲୋଡ଼ନ ଖେଳାଇ ଦେଇଛି । ଆତ୍ମହତ୍ୟା କରିଥିବା ସମ୍ପୃକ୍ତ ରୋଗୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।ଉକ୍ତ ରୋଗୀଙ୍କ ଘର ମୟୂରଭଞ୍ଜ ଅଞ୍ଚଳରେ ହୋଇଥିବା ବେଳେ ରହି ଘଟଣାକୁ ନେଇ ଥାନାରେ ଏତଲା ଦେଲେ ପରିବାର ଲୋକ। ଖବରରୁ ପ୍ରକାଶ, ବିଳମ୍ବିତ ରାତ୍ରିରେ ଏସ୍ସିବି କୋଭିଡ୍ ହସ୍ପିଟାଲ-୧ରେ ଚିକିତ୍ସାଧୀନ ଜଣେ କରୋନା ଆକ୍ରାନ୍ତ (ପୁରୁଷ)ଙ୍କର ଶରୀରରେ ଅକ୍ସିଜେନ୍ ହାର କମିଯିବାରୁ ଜଣେ କର୍ମଚାରୀ ତାଙ୍କୁ ଅକ୍ସିଜେନ୍ ଲଗାଇବାକୁ ଯାଇଥିଲେ । ହେଲେ ଏହି ସମୟରେ ଉକ୍ତ ରୋଗୀ ଉକ୍ତ କର୍ମଚାରୀଙ୍କୁ ପେଲି ଦେଇ ୱାର୍ଡର ଝରକା କାଚ ଭାଙ୍ଗି ୪ ମହଲା ଉପରୁ ତଳକୁ ଡେଇଁ ପଡିଥିଲା । ତଳେ ପଡ଼ିବାର ଶବ୍ଦ ଶୁଣି ଆଖପାଖରେ ଥିବା ଅନ୍ୟ ରୋଗୀ ସଂପର୍କୀୟମାନେ ତାଙ୍କ ପାଖକୁ ଦୌଡି ଆସିଥିଲେ । ପରେ ଗୁରୁତର ଅବସ୍ଥାରେ ପଡିଥିବା ଏହି ରୋଗୀଙ୍କୁ ସୁରକ୍ଷା କର୍ମଚାରୀମାନେ ନେଇ ଆଶୁ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ କେଉଁ କାରଣ ପାଇଁ ରୋଗୀ ଆତ୍ମହତ୍ୟା କରିଛନ୍ତି ବର୍ତ୍ତମାନ ସୁଦ୍ଧା କାରଣ ଜଣାପଡିନାହିଁ। ଗତ ୩ ଦିନ ଭିତରେ କୋଭିଡ୍ ହସ୍ପିଟାଲରେ ଏପରି ଦୁଇଟି ଅଘଟଣ ଘଟିବାକୁ ନେଇ ରୋଗୀ ସଂପର୍କୀୟଙ୍କ ମଧ୍ୟରେ ଭାଳେଣି ପଡିଛି । ଗୁରୁତର କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ୱାର୍ଡରେ ଭର୍ତ୍ତି ହେବା ପରେ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି କୋଭିଡ୍ ପ୍ରୋଟକଲ୍ ଅନୁସାରେ ସମ୍ପର୍କୀୟମାନଙ୍କ ଉପସ୍ଥିତି ଉପରେ କଟକଣା ରହିଛି । ରୋଗୀ ୱାର୍ଡରେ ଏକାକୀ ରହିବା ମଧ୍ୟରେ ଡାକ୍ତରଖାନାରୁ ପକ୍ଷରୁ ଦେଖାଶୁଣା କରିବାରେ ଅବହେଳା କରାଯାଉଥିବାରୁ ଅନେକ ରୋଗୀ ବିଭିନ୍ନ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ମୃତ୍ୟୁବରଣ କରୁଥିବା ଅଭିଯୋଗ ହେଉଛି । କରୋନା ସଂକ୍ରମଣର ପ୍ରଥମ ଲହର ଏବଂ ଦ୍ୱିତୀୟ ଲହରରେ ଏସ୍ସିବି କୋଭିଡ୍ ହସ୍ପିଟାଲରେ ଏମିତି ୪ରୁ ଅଧିକ ରୋଗୀଙ୍କର ଅପମୃତ୍ୟୁ ଘଟିଛି । ପ୍ରଥମ ଲହରରେ କୋଭିଡ୍ ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତ ଝରକାରେ ଝୁଲି ଆତ୍ମହତ୍ୟା କରିଥିବା ବେଳେ ଆଉ ଜଣେ ରୋଗୀ ଲିଫ୍ଟ ଲାଗିବା ପାଇଁ ଥିବା ଖୋଲା ସ୍ଥାନରେ ପଡ଼ି ପ୍ରାଣ ହରାଇଥିଲେ । ସେହିପରି କିଛି ମାସ ତଳେ ଏସ୍ସିବି ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଜଗନ ମଉସା କୋଭିଡ୍ ହସ୍ପିଟାଲର ପାଇଖାନାରେ ପଡ଼ି ମୃତ୍ୟୁବରଣ କରିଥିଲେ । ସେହିପରି ୩ ଦିନ ତଳେ କୋଭିଡ୍ ଆକ୍ରାନ୍ତ ବୃଦ୍ଧ ରୋଗୀ ଧ୍ରୁବଚରଣ ବେହେରା(୭୩) ପାଇଖାନାରେ ପଡ଼ି ମୃତ୍ୟୁବରଣ କରିବା ଘଟଣା ଚହଳ ସୃଷ୍ଟି କରିଛି । ରୋଗୀଙ୍କ ମୃତ୍ୟୁ ପାଇଁ ସେମାନଙ୍କ ସମ୍ପର୍କୀୟମାନେ କୋଭିଡ୍ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଦାୟୀ କରିଛନ୍ତି । ସେମାନଙ୍କ ଅଭିଯୋଗ ଯେ, ଚିକିତ୍ସା ଦାୟିତ୍ୱରେ ଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସମସ୍ତ ଉପକରଣ ଯୋଗାଇ ଦିଆଯାଇଥିଲେ ସୁଦ୍ଧା କର୍ମଚାରୀମାନେ ରୋଗୀଙ୍କୁ ଅବହେଳା କରୁଛନ୍ତି । କରୋନା ସଂକ୍ରମଣ ଯୋଗୁଁ ଦୁର୍ବଳ ହୋଇପଡୁଥିବାରୁ ରୋଗୀ ଚାଲିବାକୁ ଅକ୍ଷମ ହେଉଛନ୍ତି । ଏପରିସ୍ଥିତିରେ ରୋଗୀମାନଙ୍କୁ ଝାଡ଼ା, ପରିସ୍ରା ପାଇଁ ପାଇଖାନା ଯାଏ ନେଇ ପୁଣି ବେଡ୍ ପାଖରେ ଆଣି ଛାଡ଼ିବା ଆଦି କ୍ଷେତ୍ରରେ ରୋଗୀଙ୍କୁ ଉପଯୁକ୍ତ ସହାୟତା ମିଳିପାରୁନାହିଁ । ଫଳରେ ରୋଗୀମାନେ ଅନେକ ସମୟରେ ନିତ୍ୟକର୍ମ କରିବା ସମୟରେ ୱାର୍ଡରେ ପଡ଼ି ପ୍ରାଣ ହରାଇବା ସହ ବିଭିନ୍ନ ସମସ୍ୟାରେ ପଡୁଥିବା ଅଭିଯୋଗ ହେଉଛି । ମେଡିକାଲ କର୍ତ୍ତୃପକ୍ଷ ଏନେଇ ପଦକ୍ଷେପ ଗ୍ରହଣ କରୁନଥିବା ରୋଗୀ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ।





