ଲମତାପୁଟ, (ବାଘୁଆବାର୍ତ୍ତା): ସବୁଜ ଜହର ହବ ପାଲଟିଛି ଲମତାପୁଟ। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଲମତାପୁଟ ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ଏସ. ଡ଼ି. ପିଓଙ୍କ ନେତୃତ୍ଵରେ ବଡପଡ଼ା ଘାଟି ନିକଟ ଜଙ୍ଗଲରେ ଗଞ୍ଜେଇ ଚୋରା ଚାଲଣ ପାଇଁ ଗଞ୍ଜେଇ ଗଛିତ ରଖା ଯାଇଥିବା ଖବର ମିଳିଥିବା ନେଇ ଲମତାପୁଟ, ଜଲାପୁଟ ପୋଲିସ ଦୁଇଟି ଟିମ ଗଠନ କରି ଜଙ୍ଗଲକୁ ତନ ତନ କରି ଯାଞ୍ଚ କରିଥିଲେ । ଜଙ୍ଗଲରେ ପୂଳା ପୁଳା ଗଞ୍ଜେଇ ବସ୍ତା ଥିବା ଦେଖିବାକୁ ପାଇଥିଲା ପୋଲିସ୍ । ଖବର ମୁତାବକ ଆଜି ସନ୍ଧ୍ୟାରେ ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହୋଇ ଥାନ୍ତା । କିନ୍ତୁ ପୋଲିସ୍ ଖବର ପାଇବାମାତ୍ରେ ଜଙ୍ଗଲରୁ ୩୯ ଟି ବସ୍ତା ଗଞ୍ଜେଇ ବସ୍ତା ଜବତ କରିବାରେ ସଫଳ ହୋଇଛି ପୋଲିସ୍ । ଏହି ଗଞ୍ଜେଇକୁ ଓଜନ କରିବାରୁ ଏକ ଟନ ୧୦ କେଜି ଗଞ୍ଜେଇ ଥିବାର ଜଣା ପଡ଼ିଛି । ଏହାର ମୁଲ୍ୟ ପ୍ରାୟ ଏକ କୋଟି ଏକ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ପୋଲିସର ସୂଚନା ଅନୁଯାୟୀ ଜଙ୍ଗଲରେ ଗଞ୍ଜେଇ ସହ କିଛି ମାଫିଆ ଥିବାର ଖବର ମଧ୍ୟ ଥିଲା କିନ୍ତୁ କର୍ମଚାରୀ ଅଭାବରୁ ମାଫିଆ ଫେରାର ହେବାର ସକ୍ଷମ ହୋଇଥିବା ପୋଲିସ କହିଛି । ଲକଡାଉନ୍ କୋହଳ ପରେ ଗଞ୍ଜେଇ ମାଫିଆ ପୁଣି ସକ୍ରିୟ ହୋଇ ପଡିଛନ୍ତି । ଏହାକୁ ନେଇ ପୋଲିସ ପାଇଁ ପୁଣି ବଡ଼ ଚାଲେଞ୍ଚ ସୃଷ୍ଟି କରିଛି ।





