ବରେଲି, (ବାଘୁଆବାର୍ତ୍ତା): ସିବିଗଞ୍ଜ ରେଳବାଇ ଗୋଦାମରୁ ୨୦ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମାମଲାର ତଦନ୍ତ କରୁଥିବା ଆରପିଏଫ ଦେଇଥିବା ବୟାନ ଏବେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଆରପିଏଫ ଅନୁସାରେ ରେଲବାଇ ଗୋଦାମରୁ ସାମଗ୍ରୀ ଚୋରି ହୋଇ ନାହିଁ। ଏହାକୁ ଗତ ଜୁନ ୩୦ ତାରିଖରେ ଚାକିରୀରୁ ଅବସର ହେବା ପୂର୍ବରୁ ସିନିୟର ସେକ୍ସନ ଇଞ୍ଜିନିୟର( ରେଳ ପଥ) ଦିନେଶ ପ୍ରକାଶ ଲୋହାନୀ ଜନୈକ ଠିକାଦାରଙ୍କୁ ଦେଇଦେଇଛନ୍ତି। ମାମଲାରେ ଆରପିଏଫ ଲୋହାନୀଙ୍କୁ ତାଙ୍କ ରାଜେନ୍ଦ୍ରନଗରସ୍ଥିତ ବାସଭବନରୁ ଗିରଫ କରିଛି। ଉଲ୍ଲେଖ ଯୋଗ୍ୟଯେ ରେଳବାଇ ଗୋଦାମରୁ ଅନୁନ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ପେଣ୍ଡ୍ରୋଲ କ୍ଲିପ୍ ଓ ପିନ୍ ଚୋରି ହୋଇଯାଇଥିବା ନେଇ ଜୁଲାଇ ୧୧ତାରିଖରେ ଆରପିଏଫ ଥାନାରେ ଏତଲା ଦିଆଯାଇଥିଲା। ମାମଲାର ଆରପିଏଫ ତଦନ୍ତ ଚଳାଇଥିବା ବେଳେ ଚାକିରୀରୁ ଜୁନ ୩୦ ତାରିଖରେ ଅବସର ନେବା ପୂର୍ବରୁ ସିନିୟର ସେକ୍ସନ ଇଞ୍ଜିନିୟର ସେ ସବୁକୁ ରେଳବାଇ ଠିକାରଦାରଙ୍କୁ ଦେଇଦେଇଥିବା ଜଣାପଡିଥିଲା। ସେକ୍ସନ ଇଞ୍ଜିନିୟର ଲୋହାନୀ ତାଙ୍କ ରିଟାୟରମେଣ୍ଟର ସପ୍ତାହକ ପୂର୍ବରୁ ସେ ସବୁ ସାମଗ୍ରୀକୁ ରେଳବାଇ ଗୋଦାମାରୁ ସ୍ଥାନାନ୍ତର କରାଇ ଦେଇଥିଲେ। ତେବେ ତଦନ୍ତ ବେଳେ ଲୋହାନୀ ରେଳବାଇ ସାମଗ୍ରୀ ବିକିଥିବାର ତଦନ୍ତରୁ ଜଣାପଡିଛି। ଇଞ୍ଜିନିୟର ରେଳବାଇ ମାଲ ବିକିବା ପୂର୍ବରୁ ନିଜର ସୁରକ୍ଷା ଯୋଜନା ମଧ୍ୟ ଚୂଡ଼ାନ୍ତ କରି ରଖିଥିଲେ, ଯେପରି ସେ ରିଟାୟର ପରେ ମାମଲାରେ ଘୋଷଡା ନ ହୁଅନ୍ତି। ଚାକିରୀରେ ଥିବା ବେଳେ ରେଳବାଇ ଗୋଦାମରେ ଅବ୍ୟବହୃତ ପଡି ରହିଥିବା ପେଣ୍ଡ୍ରୋଲ ଓ ପିନ୍ ତାଙ୍କ ଦାୟିତ୍ୱରେ ଥିଲା। ଏଣୁ ଏହି ସବୁ ସାମଗ୍ରୀ ମୁରାଦାବାଦ ଓ ଚନ୍ଦୌସୀ ଷ୍ଟେସନକୁ ପଠାଇ ଥିବାର କାଗଜପତ୍ର ପ୍ରସ୍ତୁତ କରିଦେଇଥିଲେ। ତେବେ ତଦନ୍ତ ବେଳେ ଏହି ଦୁଇ ଷ୍ଟେସନକୁ ସେପରି କୌଣସି ସାମଗ୍ରୀ ଯୋଗାଣ ହୋଇଥିବାର ରେକର୍ଡ ମିଳିନଥିଲା। ଏଣୁ ମାମଲାର ତଦନ୍ତରେ ସନ୍ଦେହ ରିଟାୟାର ଇଞ୍ଜିନିୟରଙ୍କ ଆଡକୁ ଢଳିଥିଲା। ପୋଲିସ ଲୋହାନୀଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସୂଚନା ଅନୁସାରେ ବିଭିନ୍ନ ସ୍ଥାନରୁ ଆରପିଏଫ ଚୋରି ସାମଗ୍ରୀ ସବୁ ଜବତ କରିଛି। ମାମଲାରେ ଲୋହାନୀଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି।





