ଉଦଳା, (ବାଘୁଆବାର୍ତ୍ତା): ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ର ପୋଡ଼ି ହୋଇ ପ୍ରାଣ ହରାଇବା ଘଟଣାର ୨୩ ଦିନ ପରେ ବି ଲାଗି ରହିଛି ସସ୍ପପେନ୍ସ । କିପରି ହେଲା ମୃତ୍ୟୁ, ଦୁର୍ଘଟଣାଜନିତ ନା ପୂର୍ବ ଯୋଜନା ମୁତାବକ ଘଟଣା ଘଟିଛି, ତାହା ଉପରକୁ ପରଦା ଉଠାଇ ପାରୁନି ପୁଲିସ୍। ଏହି ଘଟଣାର ତଦନ୍ତ ପାଇଁ ବିଦ୍ୟାଭାରତୀଙ୍କ ଘରେ ପୁଣି ଥରେ ପହଞ୍ଚିଲା ପୁଲିସ୍ ଟିମ୍। ପାରଳାଖେମୁଣ୍ଡି ଓଓଉ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ବିଦ୍ୟାଭାରତୀଙ୍କ ଗୌଡ଼ ଗାଁରେ ପହଞ୍ଚିଥିବା ଜଣାଯାଇଛି। ଏହି ଟିମ୍ ପୂର୍ବରୁ ମଧ୍ୟ ଥରେ ବିଦ୍ୟାଭାରତୀଙ୍କୁ ପଚାରି ସାରିଥିବା ବେଳେ ଏଥର କ’ଣ ସତ ଓଗାଳି ପାରିବ ତାକୁ ନେଇ ଦେଖାଦେଇଛି ଉତ୍ସୁକତା। ଏହାବାଦ ସୌମ୍ୟଙ୍କ ମୃତ୍ୟୁ ଦିନ କପ୍ତିପଦାର ଏକ ଗାଡ଼ି ବିଦ୍ୟାଭାରତୀଙ୍କୁ ଆଣିବାକୁ ଯାଇଥିଲା। ସେହି ଗାଡ଼ିର ଡ୍ରାଇଭରଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ଅଦ୍ୟାବଧି କାହା ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର। ପୁଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ଭାଇ। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ତଥା ତାଙ୍କ ବାପା ଓ ମାଙ୍କୁ ନେଇଥିବା ଡ୍ରାଇଭରଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିବା ଦରକାର। ତା’ସହ ବିଦ୍ୟାଭାରତୀଙ୍କ ସହପାଠୀ କୁହାଯାଉଥିବା ଉଦଳା ଅଞ୍ଚଳର ଅକ୍ଷୟଙ୍କୁ ମଧ୍ୟ ପଚରାଉଚରା କରାଯିବା ଉଚିତ ବୋଲି କହିଛନ୍ତି ସୌମ୍ୟଙ୍କ ମାମୁ ପୁଅ ଭାଇ। ସୌମ୍ୟଙ୍କ ମୃତ୍ୟୁ ପଛରେ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭ, ଓଆଇସିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ। ହେଲେ ପଚରାଉଚରା ପରେ ପୁଲିସ୍ ସେମାନଙ୍କୁ କ୍ଲିନଚିଟ୍ ଦେଇ ସାରିଲାଣି । ତେଣୁ ଏବେ ଘଟଣା ସମୟରେ ଉପସ୍ଥିତ ଥିବା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପୁଣି ଥରେ ପଚରାଉଚରା କରିବ ପୁଲିସ୍। ଗତ ୧୨ ତାରିଖ ରାତିରେ ସୌମ୍ୟ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ସରକାରୀ କ୍ୱାର୍ଟର୍ସରେ ଥିଲେ। ରାତି ପ୍ରାୟ ୯ଟା ବେଳେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଏନେଇ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ପଡ଼ୋଶୀଙ୍କୁ ସୂଚନା ଦେଇଥିଲେ। ତା’ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ସୌମ୍ୟଙ୍କ ଶରୀରରେ କେମିତି ଲାଗିଲା ନିଆଁ? ଏହାକୁ ନେଇ ପତ୍ନୀ ବିଦ୍ୟାଭାରତୀ ମୁହଁ ଖୋଲୁନଥିଲେ। ଯାହାକୁ ନେଇ ସୌମ୍ୟଙ୍କ ପରିବାର ବିଦ୍ୟାଙ୍କ ବିରୋଧରେ ଆଣିଥିଲେ ସଙ୍ଗୀନ ଅଭିଯୋଗ। ପରବର୍ତ୍ତୀ ସମୟରେ ବିଦ୍ୟା ଓ ସଂଗ୍ରାମ ଏହାକୁ ଖଣ୍ଡନ କରିଥିଲେ। ତେବେ ସୌମ୍ୟଙ୍କ ବାପାଙ୍କ ଅଭିଯୋଗ ପରେ ପାରଳାଖେମୁଣ୍ଡି ଥାନା ପୁଲିସ ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ତଦନ୍ତ କରିଥିଲେ ମଧ୍ୟ ଏଯାଏ ମୁଖ୍ୟ ଅଭିଯୁକ୍ତ ନିକଟରେ ପହଞ୍ଚି ପାରିନି।





