ଓଡ଼ଗାଁ,(ବାଘୁଆବାର୍ତ୍ତା): ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଯୁକ୍ତ ୨ ବିଜ୍ଞାନ ବିଷୟରେ ବାର୍ଷିକ ପରୀକ୍ଷା ହୋଇପାରି ନଥିଲା। ବିକଳ୍ପ ମାଧ୍ୟମରେ ଫଳାଫଳ ବାହାର କରାଯାଇଥିବାରୁ ରେଜଲ୍ଟ ପ୍ରକାଶନ ବିଳମ୍ବ ହୋଇଛି । ବହୁ ପ୍ରତିକ୍ଷାର ଅନ୍ତ ପରେ ଫଳାଫଳ ପ୍ରକାଶିତ ହୋଇଅଛି । ରଘୁନାଥ ସମବାୟ ମହାବିଦ୍ୟାଳୟ ଛାତ୍ରୀ ମିନାକ୍ଷୀ ରାଉତ ସମୁଦାୟ ୬୦୦ ମାର୍କରୁ ୫୬୪ ସର୍ବମୋଟ ୯୪ ପ୍ରତିଶତ ନଂ ରଖି ଓଡ଼ଗାଁ କଲେଜ ଟପ୍ପର ହୋଇଛନ୍ତି । ଠିକ ସେହିପରି ରୁଦ୍ର ପ୍ରସାଦ ବେହେରା ୫୫୮ ତଥା ୯୩ ପ୍ରତିଶତ ରଖି ଦ୍ଵିତୀୟ ସ୍ଥାନ ଏବଂ ଲକ୍ଷ୍ମୀପ୍ରିୟା ପଟ୍ଟନାୟକ ୫୫୫ ତଥା ୯୩ ପ୍ରତିଶତ ରଖି ତୃତୀୟ ସ୍ଥାନରେ କୃତକାର୍ୟ୍ୟ ହୋଇ ମହାବିଦ୍ୟାଳୟ ପାଇଁ ଗୌରବ ସାଉଁଟିଛନ୍ତି । ଚଳିତ ବର୍ଷ ମହାବିଦ୍ୟାଳୟର ସମୁଦାୟ ୧୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧୨୦ ଜଣ ପ୍ରଥମ ଶ୍ରେଣୀରେ ଏବଂ ଅନ୍ୟ ୧୧ ଜଣ ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ମହାବିଦ୍ୟାଳୟର ଫଳାଫଳ ଶତପ୍ରତିଶତ ହୋଇଥିବାବେଳେ କଲେଜ ଇତିହାସରେ ଏହା ଏକ ନୂଆଁ ରେକର୍ଡ ସ୍ଥାପନ କରି ଅଛି । କଲେଜ ପ୍ରଥମ କରି ୯୪ ପ୍ରତିଶତ ତଥା ୫୬୪ ନଂ ରଖି ଛାତ୍ରୀ ମିନାକ୍ଷୀ ରାଉତ କଲେଜର ବିଗତ ଦିନର ସମସ୍ତ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି । ମହାବିଦ୍ୟାଳୟ କାର୍ୟ୍ୟନିର୍ବାହୀ କମିଟିର ସଭାପତି ସୁରେଶ କୁମାର ହୋତା, ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ ଏବଂ ସମସ୍ତ ଅଧ୍ୟାପକ, ଅଧ୍ୟାପିକାମାନେ ଛାତ୍ରଛାତ୍ରୀମାନଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଭବିଷ୍ୟତ ପାଇଁ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।






