କରଞ୍ଜିଆ, (ବାଘୁଆବାର୍ତ୍ତା): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ଗତ ରାତିରେ ଏକ ଚୋରା କାଠ ବୋଝେଇ ମାରୁତି କାର ଜବତ ହୋଇଛି। ଠାକୁରମୁଣ୍ଡା ଓ କରଞ୍ଜିଆ ରେଞ୍ଜ କର୍ମଚାରୀମାନେ ମିଳିତ ଚଢ଼ାଉ କରି ଏହି ଚୋରା କାଠ ବୋଝେଇ ଗାଡି ଜବତ ହୋଇଛି। ଘଟଣାସ୍ଥଳରୁ ଡ୍ରାଇଭର କାର ଛାଡି ଫେରାର ହୋଇଯାଇଛି। ଠାକୁରମୁଣ୍ଡା ବନ କର୍ମଚାରୀମାନେ ଚୋରା କାଠ ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇଥିଲେ। ଏହାପରେ କେନ୍ଦୁମୁଣ୍ଡି ଫରେଷ୍ଟ ବିଟ୍ ଅନ୍ତର୍ଗତ ପାଟବିଲ-କଳାକାଦ ଗ୍ରାମ୍ୟ ରାସ୍ତାରୁ ଏହି ଚୋରା କାଠ ବୋଝେଇ କାର ଉପରେ ଚଢାଉ କରିଥିଲେ। ଏହି ସମୟରେ ବନ କର୍ମଚାରୀଙ୍କୁ ଦେଖି କାଠ ବୋଝେଇ କାର ଡ୍ରଇଭର ଦ୍ରୁତ ଗତିରେ ଖସି ଯିବାକୁ ଉଦ୍ୟମ କରିବାରୁ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ଦୁଇ ରାଉଣ୍ଡ କାର ଚକକୁ ପଛ ପଟୁ ଗୁଳି କରିଥିଲେ। ଗୁଳି ନବାଜିବାରୁ କାର କରଞ୍ଜିଆ ଆଡକୁ ଦ୍ରୁତ ଗତିରେ ଖସି ଯିବାରୁ ଠାକୁରମୁଣ୍ଡା ବନ କର୍ମଚାରୀମାନେ କରଞ୍ଜିଆ ବନବିଭାଗର ସହାୟତା ନେଇ ଥିଲେ। ଉଭୟ ରେଞ୍ଜ କର୍ମଚାରୀମାନଙ୍କୁ ଦେଖି କାର ଡ୍ରାଇଭର କାର ଛାଡ଼ି ଖସି ପଳାଇ ଥିଲେ। କାର ଭିତରୁ ୧୫ ଖଣ୍ଡ ଶାଳ ଚଉକାଠ ସହ କାରକୁ ଠାକୁରମୁଣ୍ଡା ବନବିଭାଗ ଜବତ କରି କେଶ ନମ୍ବର ୨୧ ଅନୁଯାୟୀ ଏକ ମାମଲା ରୁଜୁ କରିଛି ।





