ଟୋକିଓ, (ବାଘୁଆବାର୍ତ୍ତା): ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ସେମିଫାଇନାଲରେ ପହଞ୍ଚିଛି। ରବିବାର ଭାରତୀୟ ପୁରୁଷ ଟିମ୍ କ୍ୱାର୍ଟର୍ ଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ୩-୧ ଗୋଲରେ ହରାଇ ଅନ୍ତିମ-୪ ଟିକେଟ୍ କାଟିଛି। ଏଥିସହ ଭାରତ ୪୧ ବର୍ଷ ପରେ ଅଲିମ୍ପିକ୍ସର ସେମିଫାଇନାଲରେ ସ୍ଥାନ ହାସଲ କରିଛି। ଏହା ପୂର୍ବରୁ ୧୯୮୦ ଅଲିମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା। ତେବେ ଏହା ପରଠାରୁ ଭାରତ ଥରେ ବି ସେମିକୁ ଉତ୍ତୀର୍ଣ୍ଣ ହୋଇପାରିନାହିଁ। ଏବେ ସେମିଫାଇନାଲରେ ଭାରତର ସାମ୍ନା ବେଲଜିୟମ ସହ ହେବ। ଏହି ମ୍ୟାଚ୍ ବୁଧବାର ଖେଳାଯିବ। ଅନ୍ୟପକ୍ଷରେ ଭାରତୀୟ ମହିଳା ଟିମ୍ ଆସନ୍ତାକାଲି କ୍ୱାର୍ଟର୍ ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ। କ୍ୱାର୍ଟର୍ ଫାଇନାଲରେ ଭାରତ ପକ୍ଷରୁ ଦିଲପ୍ରୀତ ସିଂହ (ଦ୍ୱିତୀୟ), ଗୁରଜନ୍ତ ସିଂହ (୧୬ଶ) ଓ ହାର୍ଦ୍ଦିକ ସିଂହ (୪୫ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ବ୍ରିଟେନ୍ ପକ୍ଷରୁ ସାମ୍ ୱାର୍ଡ (୪୫ତମ) ଏକମାତ୍ର ଗୋଲ୍ ସ୍କୋର କରିଥିଲେ। ମ୍ୟାଚର ପ୍ରଥମ ହାଫ୍ ଭାରତ ନାଁରେ ରହିଥିଲା। ଆରମ୍ଭରୁ ହିଁ ଭାରତ ଆକ୍ରମଣ କରିଥିଲା। ପ୍ରଥମ କ୍ୱାର୍ଟରରେ ଭାରତକୁ ଗୋଟିଏ ସଫଳତା ମିଳିଥିଲା। ମ୍ୟାଚର ସପ୍ତମ ମିନିଟରେ ଦିଲପ୍ରୀତ ଫିଲ୍ଡ ଗୋଲ୍ ଦେଇ ଭାରତକୁ ୧-୦ରେ ଆଗୁଆ କରାଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଗୁରଜନ୍ତ ମଧ୍ୟ ଫିଲ୍ଡ ଗୋଲ୍ ଦେଇ ସ୍କୋରକୁ ୨-୦ରେ ପହଞ୍ଚାଇଥିଲେ। ତୃତୀୟ କ୍ୱାର୍ଟରର ଶେଷ ମିନିଟରେ ଗ୍ରେଟ୍ ବ୍ରିଟେନକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଗୋଲରେ ପରିଣତ କରିଥିଲେ ୱାର୍ଡ। ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳ ପରସ୍ପର ଉପରକୁ ଘନଘନ ଆକ୍ରମଣ କରିଥିଲେ। ମ୍ୟାଚ୍ ଶେଷ ହେବାକୁ ଆଉ ତିନି ମିନିଟ୍ ବାକି ଥିବା ବେଳେ ହାର୍ଦ୍ଦିକ ସିଂହ ଏକାକୀ ବଲକୁ ନେଇ ଗୋଲ୍ ଦେଇଥିଲେ। ଶେଷ ମିନିଟରେ ବ୍ରିଟେନକୁ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ, ଏହାକୁ ସେମାନେ ଗୋଲରେ ପରିଣତ କରିପାରିନଥିଲେ। ଆଉ ଏଥିସହ ଭାରତ ମୁକାବିଲାକୁ ୩-୧ରେ ଜିତି ନେଇଥିଲା।






