ବଲାଙ୍ଗିର, (ବାଘୁଆବାର୍ତ୍ତା): କେକେବିଏନ ଡିଭିଜନର ଜଣେ କ୍ୟାଡର ମାଓବାଦୀ ଆଇସୁ କୋରସା ଆଜି ବଲାଙ୍ଗିର ପୁଲିସ ପାଖରେ ଆତ୍ମସମର୍ପଣ କରିଛି । ସେ କେକେବିଏନ ଡିଭିଜନରେ ଏରିଆ କମିଟି ମେମ୍ବର ଭାବେ କାର୍ୟ୍ୟ କରୁଥିଲା । ସଂଗଠନକୁ ସୁଦୃଢ କରିବା ସହ ବିଭିନ୍ନ ମାଓ କାର୍ୟ୍ୟକଳାପରେ ଜଡିତଥିଲା ସେ । ତେବେ ଜାତୀୟ ବିରୋଧୀ କାର୍ୟ୍ୟକଳାପରେ ବିମୁଖ ହେବା ସହ ରାଜ୍ୟ ସରକାରଙ୍କ ଆହ୍ବାନ କ୍ରମେ ସେ ଆତ୍ମସମର୍ପଣ କରିଥିବା ଉତ୍ତରାଞ୍ଚଳ ଡିଆଜି ଦୀପକ କୁମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆତ୍ମସମର୍ପଣ କରିଥିବା ଆଇସୁର ଘର ଛତିଶଗଡ଼ର ବିଜାପୁର ଜିଲ୍ଲା ଗାଙ୍ଗଲୋର ଥାନା ଅଞ୍ଚଳରେ । ସେ ପିଲାଦିନରୁ ବାଲ ସଙ୍ଗଠନରେ ସାମିଲ ହେବା ସହ କ୍ରାନ୍ତିକାରୀ ମାଓ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲା । ପରେ ୨୦୧୨ରେ ମାଓ ସଂଗଠନରେ ସାମିଲ ହୋଇଥିଲା । ଆଜିର ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଏସପି ନୀତିନ କୁସଲକର ଓ ସିଆରପିଏଫ କମାଣ୍ଡାଣ୍ଟ ଯୋଗେନ୍ଦ୍ର ମୌର୍ୟ୍ୟ ଉପସ୍ଥିତ ଥିଲେ । ପ୍ରକାଶ ଯେ,ପୂର୍ବରୁ ଗତ ୧୬ ତାରିଖରେ ପୁଲିସ କେକେବିଏନ ସଙ୍ଗଠନର ଜଣେ କ୍ୟାଡ଼ର ଏବଂ ଜଣେ ମିଲିସିଆକୁ ଧରିଥିବା ଖବର ପ୍ରକାଶ ପାଇଥିଲା । ଅବଶ୍ୟ ଏନେଇ ପୁଲିସ ସ୍ପଷ୍ଟ କରିନଥିଲେ ହେଁ ଅସ୍ୱୀକାର କରିନଥିଲା । ଶେଷରେ ଆଜି କେବଳ କ୍ୟାଡ଼ର ମାଓବାଦୀକୁ ପୁଲିସ ଆତ୍ମସମର୍ପଣ କରିଥିବା ଦର୍ଶାଇଛି ।





