ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଓଡ଼ିିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଏକ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ଡ. ପୱନ୍ କୁମାର ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟରେ ଥିବା ୩୧ଟି କୃଷି ବିଜ୍ଞାନ କେନ୍ଦ୍ରର ପ୍ରାୟ ୫୦ ଜଣ ବୈଜ୍ଞାନିକ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ । ଭର୍ଚୁଆଲ ମୋଡ୍ରେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ କଦଳୀର ମାକ୍ରୋପ୍ରୋପାଗେନ୍ ସମ୍ବନ୍ଧରେ ବିଶେଷ ତାଲିମ ପ୍ରଦାନ କରାଯାଇଥିଲା । କଦଳୀର ବୃହତ ବଂଶବିସ୍ତାର ଯାହା ସ୍ୱଳ୍ପ ଖର୍ଚ୍ଚ ଏବଂ କୃଷକମାନଙ୍କୁ ସୁହାଇଲା ଭଳି ଏହି ପଦ୍ଧତି କିପରି କ୍ଷେତ୍ରୀୟ ସ୍ତରରେ ପ୍ରୟୋଗ କରାଯାଇପାରିବ । ତାହାର ବିଭିନ୍ନ ଦିଗ ଉପରେ ଅଖିଳ ଭାରତୀୟ ସଂଯୋଜିତ ଫଳ ଗବେଷଣା ପ୍ରକଳ୍ପର ବୈଜ୍ଞାନିକ ଡା. ସୌଦାମିନୀ ସ୍ୱାଇଁ ଆଲୋଚନା କରିଥିଲେ । ଏହି ଅଭିନବ ଜ୍ଞାନକୌଶଳ ମାଧ୍ୟମରେ ବାରିପଟ ଗଛଛାଇ ତଳେ ଏକ ସୁସ୍ଥ ମା’ଗଛରୁ ୪/୫ ମାସ ମଧ୍ୟରେ ୪୦-୫୦ଟି ଚାରା ଗଛ ସୃଷ୍ଟି କରାଯାଇପାରିବ । ଏହି ଜ୍ଞାନକୌଶଳ ଚାଷୀଙ୍କ ନିକଟକୁୁ ପହଞ୍ଚି ପାରିଲେ ଚାଷୀମାନେ ବହୁଳ ଉପକୃତ ହୋଇପାରିବେ ବୋଲି ଓୟୁଏଟି ଗବେଷଣା ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପ୍ରଫେସର ପ୍ରସନ୍ଜିତ ମିଶ୍ର ତାଲିମବେଳେ ପ୍ରକାଶ କରିଥିଲେ । ଏଥି ସହିତ କଦଳୀ ଚାଷରେ ହେଉଥିବା ରୋଗ ଓ ପୋକ ଉପରେ ମଧ୍ୟ ଅଧିକ ଆଲୋଚନା କରାଯାଇ ଏହାର ଫଳପ୍ରଦ ପରିଚାଳନା କିପରି କରାଯିବ ସେ ସଂପର୍କରେ ସୂଚନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଫଳ ଗବେଷଣା ପ୍ରକଳ୍ପର ରୋଗ ବିଭାଗର ବୈଜ୍ଞାନିକ ବିପିନ କୁମାର ପ୍ରଧାନ ତାଲିମ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।






