ପୁରୀ,(ବାଘୁଆବାର୍ତ୍ତା): ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ରଥ ଚକକୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ ସରକାରୀ କାର୍ଯ୍ୟାଳୟକୁ ଦାନସୂତ୍ରରେ ଦେବାକୁ ଯୋଜନା କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ୪ ବର୍ଗକୁ ପର୍ଯ୍ୟାୟଭୁକ୍ତ କରିବାକୁ ଯୋଜନା କରାଯାଇଛି। ରଥ ଚକ ଦାନ ପୂର୍ବରୁ ଧାର୍ମିକ ଅନୁଷ୍ଠାନକୁ ପ୍ରାଥମିକତା ଦେବାକୁ ଯୋଜନା ହୋଇଛି। ରଥ ଚକର ସଂରକ୍ଷଣକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ଏହାର ସ୍ଥାୟୀ ପ୍ରତିକାର ପାଇଁ ଏପରି ବ୍ୟବସ୍ଥା ଆପଣାଇବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ। ପୂର୍ବତନ ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ, ପ୍ରଶାସନିକ ଅଧିକାରୀଙ୍କ ପ୍ରସ୍ତାବ ଅନୁଯାୟୀ ବିଭିନ୍ନ ମଠ, ମନ୍ଦିର ଓ ଧାର୍ମିକ ଅନୁଷ୍ଠାନକୁ ପ୍ରଥମ ବର୍ଗରେ ରଖାଯିବ। ପ୍ରଥମ ପର୍ଯ୍ୟାୟରେ ଏମାନଙ୍କୁ ରଥ ଚକ ଓ ଅନ୍ୟାନ୍ୟ ଅଂଶ ଦାନରେ ଦିଆଯିବ। ଦ୍ବିତୀୟ ବର୍ଗରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏହି ବର୍ଗରେ ରହିବ। ବିଭିନ୍ନ କର୍ପୋରେଟ୍ ହାଉସ୍ ତୃତୀୟ ବର୍ଗରେ ରହିବ। ଚତୁର୍ଥ ବର୍ଗରେ ବ୍ୟକ୍ତିଗତ ଭାବେ ନେବାକୁ ଚାହୁଁଥିବା ଲୋକେ ରହିବେ। ଏଥିପାଇଁ ଆବେଦନପତ୍ର ଗ୍ରହଣ କରାଯିବ। ଯେଉଁଥିପାଇଁ ନିର୍ଦ୍ଧିଷ୍ଟ ସମୟସୀମା ରହିବ। ଆବେଦନପତ୍ରକୁ ତର୍ଜମା କରିବା ପରେ ରଥ ଚକ ଓ ଅନ୍ୟାନ୍ୟ ଅଂଶ ଦାନସୂତ୍ରରେ ଦିଆଯିବ। କିନ୍ତୁ କର୍ପୋରେଟ୍ ହାଉସ୍ ଓ ବ୍ୟକ୍ତିଗତ ମାଲିକାନା ପାଇଁ ନିର୍ଦ୍ଧିଷ୍ଟ ଦେୟ ରଖିବାକୁ ଯୋଜନା କରାଯାଉଛି।






