ଭୋଗରାଇ, (ବାଘୁଆବାର୍ତ୍ତା): ‘ଫ୍ରି ଫାୟାର ଗେମ’ ଖେଳିବା ଜନୈକ ଯୁବକକୁ ମହଙ୍ଗା ପଡ଼ିଛି। ସୁନ୍ଦରୀ ଯୁବତୀର ଫଟୋ ଦେଖିବା ପରେ ଫୋନରେ କଥାବର୍ତ୍ତା ହେବା ସହ ପ୍ରେମ ହୋଇଗଲା । ଏହି ପ୍ରେମକୁ ବାସ୍ତବ ରୂପ ଦେବା ପାଇଁ ଅନ୍ଧ ହେଲା ପୁଅ। ଗାଁ ଲୋକଙ୍କ ଆକଟକୁ ନ ମାନି ଏବଂ ଝିଅକୁ ସମ୍ମୁଖରୁ ନଦେଖି ବିବାହ କରିବାକୁ ମନ୍ଦିରରେ ପହଞ୍ଚିଲା। ବେଦୀରେ ବସିବା ପରେ କନ୍ୟାର ବୟସ ୩୯ ବୋଲି ଜଣାପଡ଼ିବା ପରେ ହତାଶ ପ୍ରେମିକ କାନମୁଣ୍ଡ ଆଉଁସି କୌଶଳ କ୍ରମେ ସେଠାରୁ ଖସିଯାଇଥିଲା। ହେଲେ କନ୍ୟାପକ୍ଷ ସ୍ଥାନୀୟ ଥାନାରେ ପହଞ୍ଚି ଅଭିଯୋଗ କରିବା ପରେ ବରପକ୍ଷ ବାଧ୍ୟ ହୋଇ କନ୍ୟାପକ୍ଷକୁ ୨୦ହଜାର ଟଙ୍କା କ୍ଷତିପୂରଣ ଦେଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ରୋଚକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ମହାଗବ ଗ୍ରାମରେ।‘ଫ୍ରି ଫାୟାର’ ଗେମ୍ ଖେଳୁ ଖେଳୁ ମୟୂରଭଞ୍ଜ ଜିଲ୍ଲା ବାରିପଦା ବସ୍ଷ୍ଟାଣ୍ଡ ପାଶ୍ୱର୍ରେ ରହୁଥିବା ଜନୈକା ଯୁବତୀଙ୍କ ସହିତ ମହାଗବ ଗ୍ରାମର ଜଣେ ଯୁବକଙ୍କ ପ୍ରେମ ହୋଇଗଲା। ହ୍ୱାଟ୍ସଆପରେ ଫଟୋ ଦିଆନିଆ ପରେ ପରସ୍ପରକୁ ମନ ଦେଇ ବସିଲେ। ଯୁବତୀ ଜଣକ ଏକ ନକଲି ଫଟୋ ପଠାଇବା ସହ ବୟସ ୨୩ ବୋଲି ସୂଚନା ଦେଇଥିଲେ। ଯୁବକ ସଂପୃକ୍ତ ଯୁବତୀ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଶପଥ ନେଲା। ଯୁବତୀଙ୍କୁ ସମ୍ମୁଖରୁ ଦେଖି ନଥିଲା ବେଳେ କନ୍ୟାପକ୍ଷ ପୁଅ ଘରକୁ ଆସି ସବୁ ଦେଖାଦେଖି କରି ବିବାହ ତାରିଖ ନିର୍ଦ୍ଧାରଣ କରିଥିଲେ । ବୁଧବାର ଅପରାହ୍ଣରେ ରାଜଘାଟ ସନ୍ତୋଷପୁର ମନ୍ଦିରରେ ବିବାହ କାର୍ୟ୍ୟ ପାଇଁ ବନ୍ଦୋବସ୍ତ ହୋଇଥିଲା। ବର, କନିଆ ଠିକ୍ ସମୟରେ ମନ୍ଦିରରେ ପହଞ୍ଚି ବେଦିରେ ବସି ଯାଇଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ବର କନ୍ୟାଙ୍କ ବୟସ ପ୍ରମାଣପତ୍ର ଯାଞ୍ଚ ସମୟରେ ପୁଅ ୨୪କୁ କନିଆର ୩୯ ବର୍ଷ ବୋଲି ଜଣାପଡ଼ିଥିଲା। ଫଟୋରେ ଦେଖିଥିବା ଝିଅ ବଦଳରେ ନିଜ ମାଆ ବୟସର କନ୍ୟାକୁ ଦେଖି ପ୍ରେମିକର ଅକଲଗୁଡୁମ ହୋଇଯାଇଥିଲା। ହାତଗଣ୍ଠି ପଡ଼ିବା ପୂର୍ବରୁ କୌଶଳ କ୍ରମେ ବେଦିରୁ ଉଠି ଛୁ’ ମାରିଥିଲା। କନ୍ୟାପକ୍ଷ ସ୍ଥାନୀୟ କିଛି ସମାଜସେବୀଙ୍କ ସହାୟତାରେ ବିଳମ୍ବିତ ରାତିରେ କମର୍ଦ୍ଦା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୁଲିସ ବରକୁ ଥାନାକୁ ଡାକି ନେଇଥିଲା। ଥାନାରେ ଉଭୟ ପକ୍ଷ ସମାଧାନ କରିବା ସହିତ ବରପକ୍ଷରୁ କ୍ଷତିପୂରଣ ବାବଦ ୨୦ ହଜାର ଟଙ୍କା କନ୍ୟାପକ୍ଷକୁ ଦିଆଯାଇଥିଲା।





