ବାଲେଶ୍ୱର, (ବାଘୁଆବାର୍ତ୍ତା): ନିଜ ହାତରେ ନିଜର ମୃତ୍ୟୁ ସାର୍ଟିଫିକେଟ ଧରି ଦେଖୁଛନ୍ତି ରଘୁନାଥ ଓରଫ ରମାକାନ୍ତ ନାୟକ । ବାଲେଶ୍ବର ଜିଲ୍ଲା ଶିଳ୍ପାଂଚଳ ଥାନାର ବାମଦା ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । ସେ ବଂଚିଛନ୍ତି, ଆଉ ସମ୍ପତ୍ତି ଲୋଭରେ ସାନ ଭାଇ ତାଙ୍କୁ ମୃତ୍ୟୁ ଦର୍ଶାଇ ତାଙ୍କ ଡେଥ୍ ସାର୍ଟିଫିକେଟ ବାହାର କରିଛି । ତେବେ କେମିତି ଜୀବିତ ଲୋକକୁ ମୃତ ବୋଲି ସରକାରୀ କର୍ମଚାରୀ ଦେଖାଇଲେ ସେ ନେଇ ଉଠିଛି ପ୍ରଶ୍ନ । ଏଥିରେ ରଘୁନାଥ ନାୟକ, ପିତା- ବୃନ୍ଦାବନ ନାୟକ ମୃତ ବୋଲି ରେମୁଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରୁ ପ୍ରମାଣ ପତ୍ରରେ ଲେଖା ହୋଇଛି । ଏହି ମିଥ୍ୟା ଡେଥ୍ ସାର୍ଟିଫିକେଟକୁ ନେଇ ଏକ ମାମଲ ବାଲେଶ୍ବର ଶିଳ୍ପାଂଚଳ ଥାନାରେ ରୁଜୁ ହୋଇଛି । ପୋଲିସ ରଘୁନାଥଙ୍କ ସାନ ଭାଇ ମହେନ୍ଦ୍ର ନାୟକ ଓ ଜନ୍ମକଲା ମାଆ ମାଳତୀକୁ ଦଫା ୪୨୦ ବଳରେ ଗିରଫ କରିଛି । ରଘୁନାଥ ମୃତ ବୋଲି ଯେଉଁ ଆର.ଆଇ. ରିପୋର୍ଟ କରିଥିଲେ ତାଙ୍କ ବିରୁଦ୍ଧରେ ମଧ୍ୟ ୪୨୦ ଦଫାରେ ମାମଲା ହୋଇଛି ।





