ଧର୍ମଗଡ଼, (ବାଘୁଆବାର୍ତ୍ତା): ସାମାନ୍ୟ କଳହକୁ ନେଇ ମଦ୍ୟପ ପଡୋଶୀଙ୍କ ଉନ୍ମତ କାଣ୍ଡ । ରାଗ ଚରମସୀମାରେ ପହଞ୍ଚିବା ପରେ ଘଟଇଲା ଅଘଟଣ । ୧୦ବର୍ଷର ନାବାଳକକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ପଡୋଶୀ । ଯାହାଫଳରେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣକ ହେଲେ ଘାସିରାମ ମାଝୀଙ୍କ ପୁଅ ଅନିଲ ମାଝୀ(୧୦) । ଖବର ପାଇବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଭଳି ଅଘଟଣ ଘଟିଛି ଥୁଆମୂଳ ରାମପୁର ଥାନା ଅଞ୍ଚଳରେ । ସୂଚନାନୁସାରେ, କଳାହାଣ୍ଡି ଜିଲ୍ଲା ବଟାଗୁଡା ଗ୍ରାମର ଘାସିରମା ମାଝୀ ଓ ଜୟସିଂ ଜାନୀ ପଡୋଶୀ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ଲାଗିରହିଥିଲା । ଉଭୟ ପରିବାର ମଧ୍ୟରେ ପୁଣି କଳହ ଲାଗିଥିଲା । କଳହ ଉଗ୍ର ରୂପ ନେବାରୁ ପଡୋଶୀ ଜୟସିଂ ହାତରେ ଟାଙ୍ଗିଆ ଧରି ଘାସିରାମଙ୍କ ୧୦ବର୍ଷ ନାବାଳକ ପୁଅକୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲା । ଉକ୍ତ ସମୟରେ ନାବାଳକ ଅନିଲକୁ ବଞ୍ଚାଇବାକୁ ବଡ଼ ଭାଇ ଓ ଅନ୍ୟ ଜଣେ ବ୍ୟକ୍ତି ବାହାରିଥିବା ବେଳେ ଜୟସିଂ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଯାହାଫଳରେ ଅନିଲର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହାତ ହୋଇଛନ୍ତି । ଏନେଇ ପୁଲିସ୍ ମାମଲା ରୁଜୁକରି ଅଭିଯୁକ୍ତ ଜୟସିଂକୁ ଗିରଫ୍ କରିଥିବା ସୂଚନା ମିଳିଛି ।





