ଭୁବନେଶ୍ୱର,(ବାଘୁଆବାର୍ତ୍ତା): କୃଷି ଉନ୍ନତ ସହଯୋଗୀ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର କୃଷି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ସ୍ନାତକ ଛାତ୍ରଛାତ୍ରୀମାନେ କୃଷି ଓ କୃଷକର ବିକାଶ ଦିଗରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିପାରିବେ । ଏହାଦ୍ୱାରା ରାଜ୍ୟର କୃଷକମାନେ ଚାଷ ସଂପର୍କିତ ବହୁମୂଲ୍ୟ ପରାମର୍ଶ ପାଇବା ସହିତ କୃଷି ବିଜ୍ଞାନର ଛାତ୍ରଛାତ୍ରୀମାନେ ଚାଷକାର୍ଯ୍ୟ ସଂପର୍କରେ ପ୍ରତ୍ୟକ୍ଷ ଅନୁଭୂତି ଲାଭ କରିପାରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ପ୍ରଚଳନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ୫ଟି ବିଶ୍ୱବିଦ୍ୟାଳୟ ଯଥା: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଏବଂ ଜିଆଇଇଟି ଅନୁଷ୍ଠାନର ପ୍ରାୟ ୧୧୦୦ ଜଣ କୃଷି ଓ ଉଦ୍ୟାନକୃଷିର ସ୍ନାତକ ଛାତ୍ରଛାତ୍ରୀମାନେ ଭାଗନେବେ । ୧୦ ସପ୍ତାହର ଏହି ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟ ଜୁଲାଇରୁ ସେପେଫମ୍ବର ମାସ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅକେଫାବର ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ କ୍ଷେତ୍ରରେ କାମ କରିବା ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଫାର୍ମପଣ୍ଡ ଯୋଜନା ସମେତ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଅନୁଧ୍ୟାନ କରିବା ସହିତ ରୋଗପୋକ ସର୍ବେକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥା, ଚାଷୀମାନଙ୍କୁ ଡାଇରେକଫ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ଯୋଗାଇ ଦିଆଯାଉଥିବା ସହାୟତା ଓ କୃଷି ସାମଗ୍ରୀ ଯୋଗାଣ ଆଦି ବିଷୟରେ ପ୍ରତ୍ୟକ୍ଷ ଅନୁଭୂତି ଲାଭ କରିବେ । ଚଳିତ ବର୍ଷର କୃଷି ଉନ୍ନତ ସହଯୋଗୀ କାର୍ଯ୍ୟକ୍ରମ ଉପଲକ୍ଷେ ଆୟୋଜିତ ଭର୍ଚୁଆଲ ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ଏହାକୁ ଦେଶର ଅନ୍ୟତମ ଶ୍ରେଷ୍ଠ କାର୍ଯ୍ୟକ୍ରମ ବୋଲି ଅଭିହିତ କରି କହିଲେ ଏହା ଦ୍ୱାରା କୃଷକମାନେ ସହଯୋଗୀ ଛାତ୍ରଛାତ୍ରୀଙ୍କଠାରୁ ଚାଷ ସମ୍ବନ୍ଧୀୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଜ୍ଞାନକୌଶଳ ଓ ଚାଷ ପଦ୍ଧତି ସଂପର୍କରେ ଜାଣିବାର ସୁଯୋଗ ପାଇବେ । କୃଷକମାନେ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି କିପରି ଚାଷକାର୍ଯ୍ୟକୁ ଆଗେଇ ନେଉଛନ୍ତି ସେ ସଂପର୍କରେ ଛାତ୍ରଛାତ୍ରୀମାନେ ଜାଣିବାର ସୁଯୋଗ ପାଇବେ । ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ, କୃଷି ବିଶ୍ୱବିଦ୍ୟାଳୟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସର୍ବୋପରି କୃଷକମାନେ ଲାଭବାନ ହୋଇପାରିବେ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ବିଗତ ବର୍ଷରେ ଏହି କାର୍ଯ୍ୟକ୍ରମର ସଫଳତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏଥିରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କୃଷି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା କହିଲେ ଯେ କୃଷି ରାଜ୍ୟ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେବା ସହିତ ଜୀବିକାନିର୍ବାହର ପ୍ରମୁଖ ପନ୍ଥା ହୋଇଥିବାବେଳେ କୃଷି ଉତ୍ପାଦନ ବୃଦ୍ଧି କରି କୃଷକମାନଙ୍କର ଆୟ ବୃଦ୍ଧି ସହିତ ଅର୍ଥନୀତିର ବିକାଶ କରିହେବ । କୃଷି ଉନ୍ନତ ସହଯୋଗୀ କାର୍ଯ୍ୟକ୍ରମରେ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଅଂଶଗ୍ରହଣ ଦ୍ୱାରା ଚାଷ ସମ୍ବନ୍ଧରେ ସେମାନଙ୍କର ବ୍ୟବହାରିକ ଜ୍ଞାନର ଉନ୍ନତି ଘଟିବ । ଏଥି ସହିତ ବିଭାଗକୁ ଚାଷକାର୍ଯ୍ୟ ସଂପର୍କରେ ଛାତ୍ରଛାତ୍ରୀଙ୍କ ପ୍ରତିକି୍ରୟା ସହଜରେ ମିଳିପାରିବ ବୋଲି ଶ୍ରୀ ଶର୍ମା କହିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଏହି ଅଭିନବ କାର୍ଯ୍ୟକ୍ରମ କୃଷି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ କୃଷି ଉଦ୍ୟୋଗୀ ହେବା ଦିଗରେ ପ୍ରୋତ୍ସାହିତ କରିବ । ଏହି କାର୍ଯ୍ରକ୍ରମରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଜିଆଇଇଟି ଅନୁଷ୍ଠାନର କୁଳପତି ଏବଂ ଡିନ୍ ଭାଗନେଇ ଏହି କାର୍ଯ୍ୟକ୍ରମକୁ ଏକ ଅଭିନବ ଓ ଯୁଗୋପଯୋଗୀ କାର୍ଯ୍ୟକ୍ରମ ବୋଲି କହିଥିଲେ । ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିବାବେଳେ ଏଥିରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମେତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନେ ଯୋଗଦେଇଥିଲେ ।






