ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ହାଜତରୁ ଜଣେ କଏଦୀ ଦୁଇ ତଳେ ଫେରାର ହୋଇଯାଇଥିଲା । ଆଜି ସେହି ଫେରାର ହୋଇଥିବା କଏଦୀକୁ ଗିରଫ୍ କରିବା ସଫଳ ହୋଇଛି ପୁଲିସ୍ । ଗିରଫ୍ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ନିରାକାରପୁର ଥାନା ଅଧିନରେ ଥିବା ଯାଜପୁର ଗାଁର ପ୍ରଭାତ ପାଟ୍ଟଶାଣୀ । ଅଭିଯୁକ୍ତ ପ୍ରଭାତ ନାମରେ ୨୦୧୩ ମସିହାରେ ଚୋରୀ ଓ ଡକାୟତୀରେ ସଂପୃକ୍ତ ଥିବା ନେଇ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ହେବା ପରଠୁ ଅଭିଯୁକ୍ତ ପ୍ରଭାତ ଫେରାର ଥିଲା । ଦୀର୍ଘ ୭ବର୍ଷ ପରେ ପୁଲିସ୍ ଅଭିଯୁକ୍ତ ପ୍ରଭାତକୁ ଗିରଫ୍ କରି ଥାନା ହାଜତରେ ରଖୀଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଜଣକ ଚତୁରତାର ସହ ଥାନାରୁ ଫେରାର ହୋଇଯାଇଥିଲା । ଫେରାର ଅଭିଯୁକ୍ତକୁ ଧରିବା ପାଇଁ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶରେ ଦୁଇଟି ଟିମ୍ ଗଠନ ହୋଇ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢାଉ କରି ପୁଣି ଗିରଫ କରିବାରେ ସଫଳ ହୋଇଛି । ନିରାକାରପୁର ଥାନା ନିରୀକ୍ଷକ ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି । ଥାନାରେ ଥିବା ଏହି ଅଭିଯୁକ୍ତ କିଭଳି ଚମ୍ପଟ ମାରିଲା, କାହାର ଦାୟୀତ୍ୱ ହୀନତା ଯୋଗୁଁ ଏହି ଘଟଣା ଘଟିଲା ତାହା ଉପରେ ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି । ଏହା ସହିତ ଆଉ ଜଣେ ଫେରାର ଥିବା ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଛି ।





